ଭାରତ ନିର୍ମିତ କୋଭିଡ୍ ଟିକା ପାଇବ ପାକିସ୍ତାନ । ଗାଭି ଜରିଆରେ ୪କୋଟି ୫୦ଲକ୍ଷ ଡୋଜ କୋଭିସିଲ୍ଡ ଟିକା ମାଗଣାରେ ପାଇବ ଇସଲାମାବାଦ ।

204

କନକ ବ୍ୟୁରୋ: ଭାରତରେ ନିର୍ମିତ କରୋନା ଟିକା ଖୁବ ଶୀଘ୍ର ପାକିସ୍ତାନକୁ ମାଗଣାରେ ମିଳିବ । ୟୁନାଇଟେଡ ଗ୍ଲୋବାଲ ଆଲିଆନ୍ସ ଫର ଭାକ୍ସିନ ଆଣ୍ଡ ଇମ୍ୟୁନାଇଜେସନ ବା ଗାଭି ଜରିଆରେ ଟିକା ପାଇବ ପାକିସ୍ତାନ । ବିଶ୍ୱର ବିଭିନ୍ନ ସରକାର ଓ ବେସରକାରୀ ପ୍ରତିଷ୍ଠାନର ଯୌଥ ଉଦ୍ୟମରେ ଆର୍ଥିକ ଅନଗ୍ରସର ଦେଶଗୁଡିକୁ ମାଗଣାରେ ଟିକା ଯୋଗାଇବା ପାଇଁ ଏହି ଗାଭି ସଂଗଠନ ଗଠନ କରାଯାଇଛି । ଭାରତ ବର୍ତମାନ ସୁଦ୍ଧା ୬୫ଟି ଦେଶକୁ କରୋନା ମୁକାବିଲା ପାଇଁ ଟିକା ଯୋଗାଇଛି । କିଛି ରାଷ୍ଟ୍ରକୁ ମାଗଣାରେ ଟିକା ଦିଆଯାଇଥିବା ବେଳେ କିଛି ରାଷ୍ଟ୍ର ଅନୁଦାନ ଦେଇ ଟିକା ନେଇଛନ୍ତି । କେବଳ ପାକିସ୍ତାନକୁ ଛାଡିଦେଲେ ଭାରତର ସମସ୍ତ ପଡୋଶୀ ରାଷ୍ଟ୍ର ଭାରତରେ ନିର୍ମିତ କୋଭିଡ ଟିକା ପାଇଛନ୍ତି । ପଡୋଶୀ ଭୂଟାନ, ନେପାଳ, ବାଂଲାଦେଶ, ଆଫଗାନିସ୍ତାନ, ମାଳଦ୍ୱୀପରେ ମେଡ-ଇନ-ଇଣ୍ଡିଆ ଟିକାକରଣ ଆରମ୍ଭ ହୋଇସାରିଲାଣି ।

ବିଶ୍ୱର ୧୯୦ ଆର୍ଥିକ ଅନଗ୍ରସର ଦେଶର ୨୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ମାଗଣାରେ ଯୋଗାଇବାକୁ ଗତବର୍ଷ ପ୍ରତିଶ୍ରୁତି ଦେଇଛି ୟୁନାଇଟେଡ ଗାଭି ଆଲିଆନ୍ସ । ସେହି ୧୯୦ ଦେଶ ମଧ୍ୟରେ ପାକିସ୍ତାନ ମଧ୍ୟ ରହିଛି । ତେଣୁ ଗାଭି ଜରିଆରେ ଭାରତରେ ନିର୍ମିତ ଟିକା ପାକିସ୍ତାନକୁ ପଠାଯିବ ବୋଲି ସୂଚନା ମିଳିଛି ।

ଗଣମାଧ୍ୟମର ସୂଚନା ଅନୁସାରେ ୪ କୋଟି ୫୦ ଲକ୍ଷ କୋଭିସିଲଡ ଡୋଜ ପାକିସ୍ତାନକୁ ପଠାଇବ ଭାରତ । ବିଶ୍ୱର ସବୁଠୁ ବଡ ଟିକା ନିର୍ମାତା କଂପାନୀ ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲଡ ଟିକା ଜରିଆରେ କରୋନା ବିରୋଧୀ ଲଢେଇ ଲଢିବେ ଇମ୍ରାନ ସରକାର । ପାକିସ୍ତାନରେ ଏବେ ଚୀନଠାରୁ ମିଳିଥିବା ଟିକା ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଦିଆଯାଉଛି । ଚୀନ କଂପାନୀ ସିନୋଫାର୍ମା ୧୦ଲକ୍ଷ କୋଭିଡ ଦେବାକୁ ପ୍ରତିଶ୍ରୁତି ଦେଇଛି । ସେଥିରୁ ପାକିସ୍ତାନକୁ ୫ ଲକ୍ଷ ଡୋଜ ଟିକା ପାଇବା ପରେ ୨ ଲକ୍ଷ ୭୫ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରିଛି ।

ଗତ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟୁଇଟ କରି ଭାରତ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରି ଲେଖିଛନ୍ତି ଭାରତରେ ନିର୍ମିତ କରୋନା ଟିକା ପାଇବା ପରେ ୬୦ରୁ ଅଧିକ ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ଅନ୍ୟଦେଶଗୁଡିକ ମଧ୍ୟ ଭାରତକୁ ଅନୁକରଣ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଡବ୍ଲୁଏଚଓ ମୁଖ୍ୟ ।