ଦିନିକିଆ ବିଶ୍ୱକପ୍ ଖେଳିବ ତ ପାକିସ୍ତାନ? ବିସିସିଆଇର ଏସିଆ କପ୍ ନିଷ୍ପତ୍ତି ପରେ ଦ୍ୱନ୍ଦ୍ୱରେ ପିସିବି ।

149

କନକ ବ୍ୟୁରୋ: ପାକିସ୍ତାନକୁ ଭାରତୀୟ କ୍ରିକେଟ ତରଫରୁ ଲାଗିଛି ବଡ ଝଟକା । ଏସିଆନ୍ କ୍ରିକେଟ୍ କାଉନସିଲ୍ ବୈଠକରେ ଭାରତ ଏସିଆ କପ୍ ଆୟୋଜନ ନେଇ ସଫା ସଫା ନିଜର ମତ ରଖିବା ପରେ ଏହାକୁ ନେଇ ଚିନ୍ତାରେ ପଡିଛି ପିସିବି । ବିସିସିଆଇର କହିବା କଥା, ଟିମ୍ ଇଣ୍ଡିଆ କୌଣସି କାରଣରେ ମଧ୍ୟ ପାକିସ୍ତାନ ଗସ୍ତରେ ଯିବ ନାହିଁ । ଯଦି ଏସିଆ କପ୍ ଏଥର ପାକିସ୍ତାନରେ ଆୟୋଜିତ ହୁଏ, ତେବେ ଟିମ୍ ଇଣ୍ଡିଆ ଏହାକୁ ବର୍ଜନ କରିବ । ତେବେ ବିସିସିଆଇର ଏହି ନିଷ୍ପତ୍ତି ଏବେ ପାକିସ୍ତାନକୁ ହରଡଘଣାରେ ପକାଇଛି ।

ମିଳିଥିବା ରିପୋର୍ଟ ମୁତାବକ, ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ମଧ୍ୟ ୨୦୨୩ ବିଶ୍ୱକପରେ ଭାଗ ନନେବାକୁ ବିଚାର କରୁଛି । ହେଲେ ଏପରି ହେଲେ ଓଲଟା ପାକିସ୍ତାନକୁ କ୍ଷତି ସହିବାକୁ ପଡିପାରେ । ବିସିସିଆଇ ତରଫରୁ ଏଥର ଏସିଆ କପ୍ ନିରପେକ୍ଷ ସ୍ଥାନରେ ଆୟୋଜନ କରିବାକୁ କୁହାଯାଇଛି । ଯଦି ଏପରି ହୁଏ, ତେବେ ପାକିସ୍ତାନ ବଦଳରେ ୟୁଏଇରେ ଏସିଆ କପ୍ ଆୟୋଜନ ହୋଇପାରେ । ତେବେ ପାକିସ୍ତାନ କିନ୍ତୁ ଏହି ନିଷ୍ପତ୍ତିରେ ଖୁସି ନଥିବା ଜଣାପଡୁଛି ।

ଅନ୍ୟପଟେ ଯଦି ଭାରତ ବିନା ଏସିଆ କପ୍ ଖେଳାଯାଏ ତେବେ ଟୁର୍ଣ୍ଣାମେଣ୍ଟକୁ ସ୍ପନସର ମିଳିବା ବି କଷ୍ଟ ହୋଇପାରେ । ବିରାଟ କୋହଲି, ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଭଳି ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାହାରେ ରହିଲେ, ସ୍ପନସରମାନେ ମଧ୍ୟ ପଛକୁ ହଟିପାରନ୍ତି । ତେଣୁ ପାକିସ୍ତାନ ଏବେ କେଉଁ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା ।

ଖବର ମୁତାବକ, ପାକିସ୍ତାନ ବଦଳରେ ଏସିଆ କପ୍ ୟୁଏଇ ସିଫ୍ଟ ହୋଇପାରେ । ତେବେ ଏପରି ସ୍ଥିତିରେ କିନ୍ତୁ ପାକିସ୍ତାନ ୨୦୨୩ ବିଶ୍ୱକପକୁ ମଧ୍ୟ ସିଫ୍ଟ କରିବାକୁ ଦାବି କରିପାରେ । ୨୦୨୩ ବିଶ୍ୱକପ୍ ଭାରତରେ ହେବାକୁ ଅଛି, ତେଣୁ ଏହି ବିଶ୍ୱକପରେ ପାକିସ୍ତାନ ସାମିଲ ହେବ କି ନାହି ତାହା ହିଁ ବଡ ପ୍ରଶ୍ନ ।

ସୂଚନାଯୋଗ୍ୟ ଯେ, ଭାରତ-ପାକିସ୍ତାନ ଭିତରେ ରାଜନୈତିକ ସମ୍ପର୍କ ଖରାପ ହେବା ଯୋଗୁ, ଦୁଇ ଦେଶ ଭିତରେ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ହିଁ ଖେଳାଯାଉଛି । ଭାରତ କ୍ରିକେଟ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଯାଉନଥିବାବେଳେ, ପାକିସ୍ତାନ ଏବେ ଭାରତ ନଆସିବାକୁ ଧମକ ଦେଉଛି ।