ପ୍ରାଣ ହରାଇଲେ ପାକ୍ କମାଣ୍ଡୋ । ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ପାକିସ୍ତାନ କମାଣ୍ଡୋ ଅହମ୍ମଦ ଖାନ୍

1,251

ଭାରତୀୟ ବାୟୁସେନାର ପାଇଲଟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନ କମାଣ୍ଡୋ ସୀମାରେ ପ୍ରାଣ ହରାଇଛନ୍ତି । ଏଲଓସି ସୀମାରେ ଭାରତୀୟ ସେନାର ଗୁଳିରେ ପ୍ରାଣ ହରାଇଛନ୍ତି ପାକିସ୍ତାନ ସେନାର ସୁବେଦାର ଅହମ୍ମଦ ଖାନ୍ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପର ସୁବେଦାର ଅହମ୍ମଦ ଖାନ ଗତ ଅଗଷ୍ଟ ୧୭ ତାରିଖ ଦିନ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ।

ଅହମ୍ମଦ ଖାନ ନୌସେରା, ସୁନ୍ଦରବନୀ ଓ ପଲ୍ଲନବାଲା ସେକ୍ଟରରୁ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ପଠାଉଥିବା ବେଳେ ସେନା ଗୁଳିର ଶିକାର ହୋଇଛନ୍ତି । ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବ ଦେବାକୁ ଅହମ୍ମଦ ଖାନଙ୍କୁ ବିଶେଷ ଭାବରେ ସେଠାରେ ନିୟୋଜିତ କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଅହମ୍ମଦ ଖାନଙ୍କୁ ଫ୍ରଣ୍ଟ ପୋଷ୍ଟରେ ନିୟୋଜିତ କରାଯାଇ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବାକୁ ଷଡଯନ୍ତ୍ର କରାଯାଇଥିଲା । ଆଉ ଏଥିପାଇଁ ନିୟନ୍ତ୍ରଣ ରେଖା ନିକଟରେ ମଧ୍ୟ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ମଧ୍ୟ ଏକାଠି ହୋଇଥିଲେ ।

ଆଉ ଏହି ଷଡଯନ୍ତ୍ରକୁ ସଫଳ କରିବା ପାଇଁ ପାକିସ୍ତାନ ସେନା ପକ୍ଷରୁ ପ୍ରଥମେ ପୁଞ୍ଝର କୃଷ୍ଣାଘାଟି ସେକ୍ଟରରେ ମୋର୍ଟାର ମାଡ କରାଯାଇଥିଲା । ଆଉ ଏହାର ମୁହଁତୋଡ ଜବାବ ମଧ୍ୟ ଦେଇଥିଲା ଭାରତୀୟ ସେନା । ଏହି ସମୟରେ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରାଇବାକୁ ଅହମ୍ମଦ ପ୍ରୟାସ କରୁଥିବା ବେଳେ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଥିଲେ ।

ଅହମ୍ମଦ ଖାନ୍ ପାକିସ୍ତାନର ସେହି ସୈନିକ ଯାହାଙ୍କୁ ଅଭିନନ୍ଦନଙ୍କ ସହ ଦେଖିବାକୁ ମିଳିଥିଲା । ଫେବ୍ର୍ରୁଆରୀ ୨୭ରେ ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ସୀମାରେ ଦୁର୍ଘଟଣାଗସ୍ତ ହେବା ପରେ ତାଙ୍କୁ ଗିରଫ କରିଥିଲେ ପାକିସ୍ତାନ ସୈନିକ । ଏପରିକି ତାଙ୍କୁ ନିର୍ଯ୍ୟାତନା ମଧ୍ୟ ଦିଆଯାଇଥିଲା । ସେତେବେଳେ ପାକିସ୍ତାନ ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ଅଭିନନ୍ଦନଙ୍କ ପଛରେ ଅହମ୍ମଦ ଖାନ୍ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ଅଭିନନ୍ଦନଙ୍କ ବେକକୁ ଅହମ୍ମଦ ଖାନ୍ ଜାବୁଡି ଧରିଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାର ୬ ମାସ ପରେ ଏବେ ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନ କମାଣ୍ଡୋ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ।