ଡରିଗଲା ପାକିସ୍ତାନ ! ଶାନ୍ତି ପ୍ରତିଷ୍ଠା ପାଇଁ ଭାରତକୁ ମାଗିଲା ସୁଯୋଗ, ପୁଲୱାମା ଆକ୍ରମଣରେ ପୁଣି ମାଗିଲା ପ୍ରମାଣ ।

430

କନକ ବ୍ୟୁରୋ : ଡରିଗଲା କି ପାକିସ୍ତାନ । ଶାନ୍ତି ପ୍ରତିଷ୍ଠା ପାଇଁ ମାଗିଲା ଆଉ ଏକ ସୁଯୋଗ । ପୁଲୱାମା ଆକ୍ରମଣରେ ପାକିସ୍ତାନ ପୁଣି ଭାରତକୁ ପ୍ରମାଣ ମାଗିଛି । ଏବଂ ଉପଯୁକ୍ତ ପ୍ରମାଣ ଦେଲେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ନୂଆଦିଲ୍ଲୀକୁ ପୁଣି ପ୍ରମାଣ ମାଗିଛି ଇସଲାମାବାଦ । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରମାଣ ଦେଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନକୁ ଭାରତ ଆଉ ଏକ ସୁଯୋଗ ଦେଉ ବୋଲି ପାକିସ୍ତାନ ଅନୁରୋଧ କରିଛି । ଶନିବାର ଦିନ ରାଜସ୍ଥାନରେ ମୋଦିଙ୍କ ଉଦବୋଧନ ପରେ ଇମ୍ରାନ ଏହି ମନ୍ତବ୍ୟ ରଖିଛନ୍ତି ।

ଅପରପକ୍ଷରେ ଭାରତ ମଧ୍ୟ ଏହାର କଡା ଜବାବ ରଖିଛି । ଭାରତ ପକ୍ଷରୁ କୁହାଯାଇଛି ଯେ, ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଶକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗତ ୧୪ ତାରିଖରେ ପୁଲୱାମା ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା । ଜୈଶକୁ ପାକିସ୍ତାନ ସମର୍ଥନ କରୁଥିବା ସ୍ପଷ୍ଟ ହୋଇଥିବାବେଳେ ପୁଣି ପ୍ରମାଣ ମାଗିବା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି ।

ଅପରପକ୍ଷରେ ପୁଲୱାମା ଆତଙ୍କୀ ଆକ୍ରମଣ ଘଟଣା ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାର ନିକଟତର ହେଲାଣି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି । ଏହି ଘଟଣା ପଛରେ ପାକିସ୍ତାନର ହାତ ଥିବା ନେଇ ପ୍ରମାଣ ରହିଥିବା ଏନଆଇଏ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବିସ୍ଫୋରଣ ପାଇଁ ଜୈଶ-ଏ-ମହମ୍ମଦ କିପରି ଆରଡିଏକ୍ସ ଖରିଦ କଲା ତାର ବି ତଦନ୍ତ କରୁଛି ଏନଆଇଏ । ସୀମା ପାରିରୁ ଏହି ଆରଡିଏକ୍ସ ଆସିଛି ବୋଲି ତଦନ୍ତକାରୀ ଦଳ ବିଶ୍ୱାସ କରୁଛନ୍ତି । ଏହାସହ ଆକ୍ରମଣରେ ବ୍ୟବହାର ହୋଇଥିବା ଗାଡି ସର୍ମ୍ପକରେ ବି ସବିଶେଷ ତଥ୍ୟ ମିଳିଥିବା ଜଣାପଡିଛି । ସେପଟେ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ଆଦିଲ ଡାର ଯେଉଁ ଗାଡିରେ ଯାଉଥିଲା ତାର ସିସିଟିଭି ଫୁଟେଜ ମଧ୍ୟ ମିଳିଥିବା ସୂଚନା ମିଳିଛି ।