କନକ ବ୍ୟୁରୋ : ଆଇସିସି ଟି-୨୦ ମାନ୍ୟତାରେ ଏବେ ଭାରତ-ପାକିସ୍ତାନ ଖେଳାଳୀଙ୍କ ମଧ୍ୟରେ ସାପ ଶିଢି ଖେଳ ଜାରି ରହିଛି । ଉଭୟ ଦେଶର ଦୁଇ ପ୍ରତିଭାବାନ ଖେଳାଳୀ ମହମ୍ମଦ ରିଜୱାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଟି-୨୦ ଫର୍ମାଟରେ ନମ୍ବର ୱାନ ବ୍ୟାଟର ହେବା ପାଇଁ ଚାଲିଛି ଜୋରଦାର ପ୍ରତିଯୋଗିତା । ଗୋଟିଏ ପଟେ ରିଜୱାନ ଗତ ମାସରେ ହିଁ ନିଜର ସାଥୀ ଖେଳାଳୀ ତଥା ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ ନମ୍ବର-୧ ଟି-୨୦ ବ୍ୟାଟର ଭାବେ ଉଭା ହୋଇଛନ୍ତି । ସେହିଭଳି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏବେ ନମ୍ବର-ୱାନ୍ ବ୍ୟାଟର ରେସରେ ସାମିଲ ହୋଇଛନ୍ତି । ପାକିସ୍ତାନ କ୍ରିକେଟର ବାବରଙ୍କୁ ପଛରେ ପକାଇ ଏବେ ଟି-୨୦ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର । ରିଜୱାନ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରେ ଖୁବ୍ କମ ପଏଣ୍ଟର ବ୍ୟବଧାନ ରହିଛି ଯାହାକୁ ଟି-୨୦ ବିଶ୍ୱକପରେ ପୂରା କରିବାର ସୁଯୋଗ ସୂର୍ଯ୍ୟକୁମାରଙ୍କ ନିକଟରେ ରହିଛି ।

Advertisment

ଆଉ ଏସବୁ ଭିତରେ ପାକିସ୍ତାନ କ୍ରିକେଟର ମହମ୍ମଦ ରିଜୱାନ ଟି-୨୦ ରାକିଂକୁ ନେଇ ମୁହଁ ଖୋଲିଛନ୍ତି । ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାରଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ରିଜୱାନ୍ । ଏକ ସାକ୍ଷାତକାରରେ ରିଜୱାନ କହିଛନ୍ତି, ଏଥିିରେ କୌଣସି ଦ୍ୱନ୍ଦ୍ୱ ନାହିଁ ଯେ, ସୂର୍ଯ୍ୟକୁମାର ଜଣେ ଭଲ ଖେଳାଳୀ । ଯେଉଁଭଳି ସୂର୍ଯ୍ୟକୁମାର ଏବେ ଖେଳୁଛନ୍ତି ତାହା ମୋତେ ବହୁତ ପସନ୍ଦ । କିନ୍ତୁ ସୂର୍ଯ୍ୟ ଓ ମୋର ପ୍ରଦର୍ଶନକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାର ଆବଶ୍ୟକତା ରହିଛି । କାରଣ ମଧ୍ୟକ୍ରମ ଓ ଓପନିଂରେ ବ୍ୟାଟିଂ କରିବା ଭିନ୍ନ ହୋଇଥାଏ । ମୁଁ ଟପ୍ ଅର୍ଡରରେ ବ୍ୟାଟିଂ କରୁଥିବା ବେଳେ ସୂର୍ଯ୍ୟକୁମାର ମଧ୍ୟକ୍ରମରେ ଖେଳିଥାନ୍ତି । ଏହାଛଡା ଟି-୨୦ରେ ନମ୍ବର-୧ ବ୍ୟାଟର ହେବା ବାବଦରେ ମୁଁ କେବେ ଭାବିନାହିଁ । ଯାହା ପାକିସ୍ତାନ ଟିମର ଆବଶ୍ୟକତା ତାହାକୁ ପୂରା କରୁଛି । ନମ୍ବର-୧ ଓ ମ୍ୟାନ୍ ଅଫ୍ ମ୍ୟାଚ୍ ଲକ୍ଷ୍ୟ ନେଇ ଖେଳିଲେ ମନରେ ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ତେଣୁ ଏ ବାବଦରେ ଅଧିକ କେବେ ଭାବିନାହିଁ ବୋଲି କହିଛନ୍ତି ରିଜୱାନ ।

ଏହାବାଦ୍ ଆଗାମୀ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚକୁ ନେଇ ରିଜୱାନ କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ହାଇପ୍ରେସର ମ୍ୟାଚ୍ ହୋଇଥାଏ । କାରଣ ଏହି ମ୍ୟାଚ୍ ଉପରେ ପୂରା ବିଶ୍ୱର ନଜର ରହିଥାଏ । ତେଣୁ ଏଭଳି ମ୍ୟାଚରେ ଶାନ୍ତ ରହି ଖେଳିବାର ଆବଶ୍ୟକତା ରହିଛି । ଗତ ବର୍ଷେ ହେବ ଆମେ ଭଲ କ୍ରିକେଟ ଖେଳି ଆସିଛୁ । ତେଣୁ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏତେ ଚାପରେ ଆମେ ନାହୁଁ । କିନ୍ତୁ ବିଶ୍ୱକପ୍ ମ୍ୟାଚ୍ ହୋଇଥିବାରୁ ଏହା ଆମ ପାଇଁ ବେଶ ଗୁରୁତ୍ୱ ବହନ କରିବ । ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି ରିଜୱାନ । ଅଧିକାଂଶ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି ରିଜୱାନ । ତେଣୁ ବିଶ୍ୱକପରେ ମଧ୍ୟ ରିଜୱାନଙ୍କ ଠାରୁ ବଡ ଇନିଂସର ଆଶା ରଖିଛନ୍ତି ପାକ୍ କ୍ରିକେଟପ୍ରେମୀ ।

ଅନ୍ୟପଟେ ରିଜୱାନଙ୍କୁ ଟି-୨୦ ଫର୍ମାଟରେ ଏକ ନମ୍ବର ସ୍ଥ୍ାନରୁ ହଟାଇବାକୁ ସୂର୍ଯ୍ୟକୁମାରଙ୍କ ପାଖରେ ସୁଯୋଗ ରହିଥିଲା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ୮ ରନ୍ କରି ପ୍ୟାଭିଲିୟନ ଫେରିବା କାରଣରୁ ସୂର୍ଯ୍ୟକୁମାରଙ୍କ ସ୍ୱପ୍ନ ପୂରା ହୋଇନଥିଲା । ଆସନ୍ତା ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ଏଭଳି ସ୍ଥିତିରେ ବଡ ଇନିଂସ ଖେଳି ଟି-୨୦ ଫର୍ମାଟରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିବାର ସୁଯୋଗ ସୂର୍ଯ୍ୟକୁମାରଙ୍କ ପାଖେ ରହିଛି । ତେଣୁ ସମସ୍ତଙ୍କର ନଜର ଆସନ୍ତା ଅକ୍ଟୋବର ୨୩ରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ଉପରେ ରହିଛି ।