୨୦୨୪ ପାଇଁ ପାଗଭିଡା ଆରମ୍ଭ, ବିଜେଡି ନେତାଙ୍କୁ ୨୧ରେ ଗୁରୁମନ୍ତ୍ର ଦେବେ ନବୀନ। ପୁରୀରେ ତିନି ଦିନ ବିଜେପିର ତାଲିମ ଶିବିର।

165

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ରଣନୀତି । ନିର୍ବାଚନକୁ ଆଖି ଆଖରେ ରଖି ଗୋଟିଚାଳନା ଆରମ୍ଭ କରି ଦେଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି । ୨୧ ତାରିଖରେ ଭୁବନେଶ୍ୱରରେ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଏକ ବଡଧରଣର ବୈଠକ କରୁଥିବାବେଳେ ବିଜେପି ପୁରୀରେ ୨୧ରୁ ତିନି ଦିନିଆ କର୍ମଶାଳା କରିବାର ଯୋଜନା ରହିଛି ।

ଏଠାରେ ଏକାଠି ହେବେ ବିଜେଡିର ସବୁ ବିଧାୟକ ଓ ମନ୍ତ୍ରୀ । ଏମାନଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିପ୍ସ ଦେବେ । ବିଜେଡି ସରକାରର ସଫଳତା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ମନ୍ତ୍ରୀ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ  । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ସହିତ ତୃଣମୂଳସ୍ତରରେ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେବେ । ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ସେ ନେଇ ମାନସମନ୍ଥନ ହେବ । କିନ୍ତୁ ବିଜେଡି ଟାର୍ଗେଟରେ ରହିଛି ୨୦୨୪ ସାଧାରଣ ନିର୍ବାଚନ ।

ତିନିଦିନିଆ କର୍ମଶାଳାର ଆୟୋଜନ କରିବ ବିଜେପି । ୨୧ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ କର୍ମଶାଳା ଚାଲିବ । ବୈଠକରେ ବିଧାୟକ, କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତା ଓ ସଂଘ ପରିବାର ବରିଷ୍ଠ ସଦସ୍ୟ ଯୋଗଦେବେ । ବିଶେଷକରି ରାଜ୍ୟ ପ୍ରଭାରୀ ଦାୟିତ୍ୱ ନେବା ପରେ ସୁନୀଲ ବଂଶଲ ପ୍ରଥମ କରି ଏହି ଏହି ବୈଠକରେ ସାମିଲ ହେବେ । ୨୦୨୪ ପାଇଁ ରୋଡ ମ୍ୟାପ ସହିତ ସଂଗଠନକୁ ତୃଣମୂଳସ୍ତରରୁ କିଭଳି ମଜବୁତ କରାଯାଇପାରିବ ସେନେଇ ହେବ ଆଲୋଚନା । ବିଜେଡି , ବିଜେପିର କାର୍ଯ୍ୟକ୍ରମକୁ ନେଇ କଂଗ୍ରେସ ନେତା କହିଛନ୍ତି, ଆମେ ଲୋକଙ୍କ ସହିତ ଅଛୁ ।

ରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେଲାଣି । ଅମିତ ଶାହା ଓଡିଶାରେ ସରକାର ଗଠନ ନେଇ କହିବା ପରେ ବିଜେପି ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ବିଜେଡି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ କସରତ ଆରମ୍ଭ କରିଦେଇଛି ।