ପଦ୍ମାବତୀ ପାଇଁ ଫତୱା! ଦୀପିକାଙ୍କ ନାକ କାଟିବାକୁ ଧମକ

53

ସଂଜୟ ଲୀଳା ବଂଶାଲୀଙ୍କ ଅପକମିଂ ଚଳଚିତ୍ର ପଦ୍ମାବତୀକୁ ନେଇ ବିବାଦ ଥମିବାର ନାଁ ନେଉନି । ରାଜପୁତ ସମାଜ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଜିଦ ଧରିବସିଛି । ନିର୍ମାତା ସଂଜୟ ଲୀଳା ବଂଶାଲୀଙ୍କୁ ମୁଣ୍ଡକାଟ ଧମକ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାକ କାଟିବାକୁ ଧମକ ପରେ ଉଗ୍ର ହୋଇଉଠିଛି ପଦ୍ମାବତୀ ବିବାଦ । ଡିସେମ୍ବର ୧ରେ ଏହି ଫିଲ୍ମ ରିଲିଜ ହେଲେ ଦେଶରେ ଭୟଙ୍କର ହିଂସାକାଣ୍ଡ ଘଟିବ ବୋଲି ଚେତାବନୀ ଦେଇଛି କରନି ସେନା ।

ପଦ୍ମାବତୀ ନିର୍ମାତା ସଂଜୟ ଲୀଳା ବଂଶାଲୀଙ୍କୁ ମୁଣ୍ଡକାଟ ଧମକ । ପଦ୍ମାବତୀ ଭୂମିକାରେ ଅଭିନୟ କରୁଥିବା ଦୀପିକାଙ୍କ ନାକ କାଟିବାକୁ ଧମକ ଦେଇଛି ରାଜପୁତ କରନୀ ସେନା । ଭୟଙ୍କର ରୂପ ନେବାରେ ଲାଗିଛି ପଦ୍ମାବତୀକୁ ବିରୋଧ । ମିରଟର ଜଣେ ରାଜପୁତ ନେତା ନିର୍ଦ୍ଦେଶକ ସଂଜୟ ଲୀଲା ବଂସାଲିଙ୍କ ମୁଣ୍ଡକାଟ ଧମକ ଦେବା ସହ ୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ବଂଶାଲୀଙ୍କୁ ଧମକ ପରେ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

padmavatiସେପଟେ ଫିଲ୍ମ ବିରୋଧରେ କରନି ସେନା ବିକ୍ଷୋଭକୁ ବ୍ୟାପକ କରିଛି । କେବଳ ବଂଶାଲୀ ନୁହେଁ ଦୀପିକାଙ୍କୁ ମଧ୍ୟ ଟାର୍ଗେଟ କରିଛି କରନି ସେନା । ଦୀପିକାଙ୍କ ନାକ କାଟିବା ଧମକ ଦେବା ସହ ଡିସେମ୍ବର ୧ରେ ଫିଲ୍ମ ରିଲିଜ ହେଲେ ଦେଶରେ ଭୟଙ୍କର ହିଂସାକାଣ୍ଡ ଘଟିବ ବୋଲି ଚେତାବନୀ ଦେଇଛି କରନି ସେନା । ଫିଲ୍ମ ପରଦାକୁ ଆସିଲେ ୟୁପିରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତ୍ି ୟୁୁପି ମୁଖ୍ୟମନ୍ତ୍ରୀ । ପଦ୍ମାବତୀ ବିରୋଧରେ ରାଜପୁତ ସମାଜ ସହ ସାମିଲ ହୋଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ, ଓ ବଜରଙ୍ଗ ଦଳ । ହଜାର ହଜାର ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ଫିଲ୍ମ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।

ଏହି ଚଳଚିତ୍ରରେ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜି ଓ ରାଣୀ ପଦ୍ମାବତୀ ମଧ୍ୟରେ ଏକ ରୋମାଂଟିକ୍ ସିନକୁ ନେଇ ବିବାଦ ଉପୁଜିଛି । ରାଜପୁତ ସଂଗଠନ କହୁଛନ୍ତି, ଏହି ଚଳଚିତ୍ରରେ ରାଣୀ ପଦ୍ମାବତୀଙ୍କ ସହ ଆକ୍ରମଣକାରୀ ଆଲାଉଦ୍ଦିନ ଖିଲଜିର ଏକ ଉଦ୍ଭଟ ସିନ୍ ରହିଛି । ଯେଉଁଥିରେ ପଦ୍ମାବତୀଙ୍କ ସହ ଆଲାଉଦ୍ଦିନ ଖିଲଜି ସ୍ୱପ୍ନରେ ରୋମାନ୍ସ କରୁଛନ୍ତି । ଯାହାକୁ ବରଦାସ୍ତ କରିପାରୁନାହାନ୍ତି ରାଜପୁତ ସମାଜ । ଏହି ଫିଲ୍ମକୁ ପୂର୍ବରୁ ପୁରୀ ଶଙ୍କରାଚାଯ୍ୟ ମଧ୍ୟ ବିରୋଧ କରିଛନ୍ତି । ସେ କହିଛନ୍ତି, ଏଭଳି ଫିଲ୍ମ ନିର୍ମାଣ କରି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବିକୃତ କରାଯାଉଛି । ରାଣୀ ପଦ୍ମୀନିଙ୍କ ଚରିତ୍ରକୁ ବିକୃତ କରି ଏଭଳି ଫିଲ୍ମ ନିର୍ମାଣ କରିଥିବା ନିର୍ମାତା-ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଏଥିପାଇଁ କ୍ଷମା ମାଗିବା ଉଚିତ । ଏଥିସହ ସମସ୍ତେ ନତମସ୍ତକ ହୋଇ ପଶ୍ଚାତାପ ଏବଂ ପ୍ରାୟଶ୍ଚିତ କରିବା ଉଚିତ । ଭାରତୀୟ ସଂସ୍କୃତିକୁ ବିକୃତ କରାଯିବା ପଛରେ ବିଦେଶୀ ଷଡଯନ୍ତ୍ର ରହିଥିବା ଶଙ୍କରାଚାଯ୍ୟ  କହିଛନ୍ତି ।

ତେବେ ପଦ୍ମାବତୀ ଫିଲ୍ମକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ଦେଖିବାକୁ ମିଳୁଥିବା ବେଳେ ବଂଶାଲୀଙ୍କ ସମର୍ଥନରେ ବାହାରିଛନ୍ତି ବଲିଉଡ ସେଲିବ୍ରିଟି । ସଲମାନ ଖାନ, କରନ ଜୋହର ଭଳି ବଡ ବଡ ସେଲିବ୍ରିଟି ବଂଶାଲୀଙ୍କୁ ସମର୍ଥନ କରିଛନ୍ତି । ଏହି ଚଳଚ୍ଚିତ୍ର ଡିସେମ୍ବର ୧ ତାରିଖରେ ରିଲିଜ ହେବାର ସମ୍ଭାବନା ରହିଛି ।