‘କରୋନା’ ପାଇଁ କଡା ପଦକ୍ଷେପ: ବସରେ ଆବଶ୍ୟକ ସିଟଠାରୁ ଅଧିକ ଯାତ୍ରୀ ମନା; ଡ୍ରାଇଭର ସହ ସମସ୍ତ କର୍ମଚାରୀ ପିନ୍ଧିବେ ମାସ୍କ

ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ

746

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କଡା ପଦକ୍ଷେପ ଗ୍ରହଣ କଲା ରାଜ୍ୟ ପରିବହନ ବିଭାଗ । ଏଣିକି ନିର୍ଦ୍ଦିଷ୍ଟ ସିଟ୍ ଠାରୁ ଆଉ ଅଧିକ ଯାତ୍ରୀ ନେଇପାରିବେନି କୌଣସି ବି ବସ୍ ମାଲିକ । ତେବେ ବସରେ ଆଦୌ ଓଭରଲୋଡିଂ ନ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଥିସହିତ ସିଟ୍‌ ଠାରୁ ବସରେ ଅଧିକ ଲୋକ ଯାଇପାରିବେ ନାହିଁ କି କେହି ଛିଡ଼ା ହୋଇ ଯାଇ ପାରିବେ ନାହିଁ। ସେହିଭଳି ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ବସ୍ ଗୁଡିକୁ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ । ବସ୍‌ ଗୁଡ଼ିକୁ ସଫାସୁତର ରଖିବାକୁ କୁହାଯାଇଛି। ତେବେ ନିୟମ ନ ମାନିଲେ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ।

ସେହିଭଳି କରୋନା ସତର୍କତା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଜି କାଉନସିଲ୍ ଅଧ୍ୟକ୍ଷା । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସ୍ ଗୁଡିକୁ ବନ୍ଦ କରିବା ନେଇ ରେସିଡେଂଟସ କମିଟି ବୈଠକରେ ନିଷ୍ପତିପରେ ଏପରି ଘୋଷଣା ହୋଇଛି । ଆଗରୁ ୧୪ ତାରିଖରୁ ଯେଉଁ ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାଡିବାକୁ ଚାହୁଁଛନ୍ତି ନୋଟିସ୍ ଜାରି କରାଯାଇଥିଲା । ଯେଉଁ ବିଭାଗ ଗୁଡିକର ମିଡ୍ ସେମିଷ୍ଟର ପରୀକ୍ଷା ରହିଛି ସେଗୁଡିକୁ ନେଇ ମାର୍ଚ ୩୧ ତାରିଖ ପରେ ନିଷ୍ପତି ନିଆଯିବ ବୋଲି କୁହାଯାଇଛି ।

ସେପଟେ ଆଜିଠାରୁ କଟକ-ଭୁବନେଶ୍ୱର ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ସପିଂ ମଲ । ଓଡିଶା ସହରାଂଚଳ ପୋଲିସ ଆଇନର ଧାରା ୩୫ ଅନୁସାରେ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ । ଏଥିପାଇଁ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ନିର୍ଦ୍ଦେଶ ଦେଇଥିବା ଟ୍ୱିଟରରେ କୁହାଯାଇଛି । ଏପରିକି କମିଶନରେଟ ପୋଲିସ ଅଂଚଳରେ ଯେଭଳି କୌଣସିି ମଲ ଖୋଲାନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ମୁକାବିଲା ମୂଳକ ପଦକ୍ଷେପ ନେଇଛନ୍ତି ।

ମାର୍ଚ୍ଚ ୩୧ ଯାଏଁ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ କୁହାଯାଇଥିଲା । ଏବେ କଟକ-ଭୁବନେଶ୍ୱର ଦୈତନଗରୀରେ ସପିଂ ମଲ ବନ୍ଦ କରିବାକୁ ନିଷ୍ପତି କରି କମିଶନରେଟ ପୋଲିସ ଏଥିରେ ଆଉ ଗୋଟିଏ ପଦକ୍ଷେପ ଯୋଡିଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛିି । ସେମିନାର, ୱାର୍କସପ୍, କନଫରେନ୍ସ ଉପରେ କଟକଣା ଲଗାଯାଇଛି । ଧର୍ମୀୟ ଉତ୍ସବ ଓ ବିବାହ ଭୋଜି ଭଳି ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ନିୟନ୍ତ୍ରିତ କରାଯାଉଛି ।