ଉତ୍ତର-ପୂର୍ବରେ ପୁଣି ପଦ୍ମ! ତ୍ରିପୁରା-ନାଗାଲାଣ୍ଡରେ ସରକାର ଗଢ଼ିବ ବିଜେପି!

159

କନକ ବ୍ୟୁରୋ: ଆଉ ଏକ ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ୍ । ଉତ୍ତର-ପୂର୍ବରେ ପୁଣି ଫୁଟିପାରେ । ଉତ୍ତର-ପୂର୍ବର ତିନୋଟି ଯାକ ନିର୍ବାଚନର ଫଳାଫଳ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ତ୍ରିପୁରା ଓ ନାଗାଲାଣ୍ଡରେ ବହୁମତ ଆଗକୁ ଅଗ୍ରସର ହୋଇଛି । ତେବେ ମେଘାଳୟରେ ଝୁଲା ସରକାର ଗଠନ ହୋଇପାରେ । ତିନୋଟି ଯାକ ରାଜ୍ୟରେ ୬୦ଟି ଲେଖାଏ ବିଧାନସଭା ସିଟ୍ ରହିଥିବା ବେଳେ ତ୍ରିପୁରା ଓ ନାଗାଲାଣ୍ଡରେ ୩୦ରୁ ଅଧିକ ସିଟରେ ଆଗୁଆ ରହି ବିଜେପି ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ସେହିପରି ମେଘାଳୟରେ ଚିତ୍ର ଅସ୍ପଷ୍ଟ ରହିଛି ।

ତ୍ରିପୁରାରେ ପୁଣିଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ଟ୍ରେଣ୍ଡରେ ଆଗୁଆ ରହିବା ପରେ ତ୍ରିପୁରାରେ ସେଲିବ୍ରେସନ୍ ଆରମ୍ଭ ହୋଇଯାଇଛି । ଦଳୀୟକର୍ମୀମାନେ ପରସ୍ପରକୁ ମୁଠା ଖୁଆଇବା ସହ ହୋଲି ମନାଇଛନ୍ତି । ଯଦିଓ ବିଜେପି ଏହି ରାଜ୍ୟରେ ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛି, କିନ୍ତୁ ପୂର୍ବ ନିର୍ବାଚନ ତୁଳନାରେ ଦଳର ଆସନ ସଂଖ୍ୟା ହ୍ରାସ ପାଇଛି । ଏହା ସତ୍ୱେ ମାଣିକ ସାହାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନ ମିଳିପାରେ । ତେବେ ସେ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ କି ନାହିଁ, ସେ ନିଷ୍ପତି ହାଇକମାଣ୍ଡ ନେବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମାଣିକ ସାହା ବିଜୟର ସବୁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ, ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଶ୍ରେୟ ଦେବାକୁ ଭୁଲିନାହାନ୍ତି ମାଣିକ । ମାଣିକ ସାହା ଟାଉନ୍ ବୋରଡାୱଲୀ ଆସନରୁ ବିଜୟୀ ହୋଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର ସାହାଙ୍କୁ ମାତ୍ ଦେଇଛନ୍ତି ।

ତିନୋଟି ରାଜ୍ୟ ମଧ୍ୟରେ ନାଗାଲାଣ୍ଡରେ ବିଜେପି ମେଣ୍ଟକୁ ଅଧିକ ଫାଇଦା ମିଳିଛି । ନାଗାଲାଣ୍ଡରେ ଏଥର ବିଜେପି ପୁଣିଥରେ ଏନଡିପିପି ସହ ନିର୍ବାଚନ ଲଢ଼ିଥିଲା । ମୋଟ ୬୦ ଆସନ ମଧ୍ୟରୁ ବିଜେପି-ଏନଡିପିପିକୁ ୩୫ରୁ ଅଧିକ ଆସନ ମିଳିଛି । ଗତଥର ଏହି ମେଣ୍ଟ ୬୦ରୁ ୨୯ ଆସନ ଜିତିଥିଲା । ନାଗାଲାଣ୍ଡରେ ବିଜେପିର ସଫଳତା ପଛରେ ମୋଦୀଙ୍କ ଘନଘନ ପ୍ରଚାର ସାଙ୍ଗକୁ ସେଠାକାର ବିଜେପି ଅଧ୍ୟକ୍ଷ ତେମଜେନ୍ ଇମ୍ରା ଅଲାଙ୍ଗଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା । ଅଲୋଙ୍ଗଟାକି ଆସନରୁ ନିର୍ବାଚନ ଲଢ଼ିଥିବା ତେମଜେନ୍ ଜେଡିୟୁର ଜେ ଲାନୁ ଲୋଙ୍ଗଚାରଙ୍କୁ ବଡ଼ ବ୍ୟବଧାନରେ ହରାଇଛନ୍ତି । ନିର୍ବାଚନରେ ତାଙ୍କୁ ୫୯ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ନିକଟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ର ୪୧ ପ୍ରତିଶତ ଭୋଟ୍ ମିଳିଛି । ତେମଜେନ ନିଜ ବିଜୟର ଶ୍ରେୟ ମୋଦୀଙ୍କୁ ଦେଇଛନ୍ତି । କାରଣ ତେମଜେନ୍ ମୋଦୀଙ୍କୁ ନିଜର ଗୁରୁ ବୋଲି ଅନେକ ସମୟରେ କହିସାରିଛନ୍ତି ।

ଅନ୍ୟପକ୍ଷରେ ମେଘାଳୟରେ କୌଣସି ଗୋଟିଏ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନାହିଁ । ତେବେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିସି ୨୫ରୁ ଅଧିକ ଆସନରେ ଆଗୁଆ ରହିଛି । ବିଜେପି ମାତ୍ର ୩ଟି ଆସନରେ ଜିତିଛି । ରାଜ୍ୟରେ ଏବେ ଏନପିସି-ବିଜେପି ମେଣ୍ଟ ସରକାର ଥିଲେ ବି ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ୁଛନ୍ତି । ଉଭୟ ଦଳ ପୁଣିଥରେ ମେଣ୍ଟ କଲେ, ସରକାର ଗଢ଼ିବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କ ଆବଶ୍ୟକ ପଡ଼ିପାରେ ।

ତିନୋଟି ଯାକ ରାଜ୍ୟରେ ଯେଉଁଠି ବିଜେପି ତା’ର ପତିଆରା ବଜାୟ ରଖିଛି । ସେହିଠାରେ ଦେଶର ସବୁଠାରୁ ପୁରାତନ ଦଳ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଛି । ଚଳିତ ବର୍ଷ ଆହୁରି ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ପାଇଁ ଏହା ଚିନ୍ତାର ବିଷୟ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।