କଟକରୁ କଳାହାଣ୍ଡି, ପୂର୍ବରୁ ପଶ୍ଚିମ ସବୁଠି ଚାଷୀର ବିକଳ ଚିତ୍ର । ଧାନ ବିକ୍ରି କରିବାକୁ ରାତି ଅନିଦ୍ରା ହୋଇ ଜଗି ବସୁଛି ଚାଷୀ ।

70

କନକ ବ୍ୟୁରା: ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଚାଷୀ ଦୁଃଖର ଚିତ୍ର ଦେଖିଲେ ଲାଗୁଛି ଚାଷ କରି ଚାଷୀ ଯେମିତି ମସ୍ତବଡ଼ ଭୁଲ କରି ଦେଇଛନ୍ତି । ବ୍ୟବସ୍ଥା ଉପରେ ଆସ୍ଥା ରଖି, ଚାଷ କରି ଏଭଳି ଅବ୍ୟବସ୍ଥା ଭିତରେ ଛନ୍ଦି ହୋଇଯାଇଛନ୍ତି । ଯେଉଁଠି ମୁକୁଳିବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଛି । ବର୍ଷକର ପରିଶ୍ରମର ଫଳକୁ ସାଉଁଟି ଆଣି ମଣ୍ଡିରେ ଗଦା କରି ରଖିଛି ଚାଷୀ, ହେଲେ ବିକ୍ରି ପାଇଁ ଆବଶ୍ୟକ ହେଉଥିବା ଟୋକନ୍ ଲାପ୍ସ କରି ଯାଇଛି । କାରଣ ଟାର୍ଗେଟ୍ ପୁରଣ ହୋଇଯାଇଥିବାରୁ ଧାନ ଉଠୁନି ।

କେନ୍ଦୁଝର ଜିଲ୍ଲାର କଥା କାହାରିକୁ ବି ବିଚଳିତ କରିପାରେ । କାରଣ ମଣ୍ଡିରେ ଥିବା ଅବ୍ୟବସ୍ଥା ଯୋଗୁଁ କେବଳ ଚାଷୀ ହନ୍ତସନ୍ତ ହେଉ ନାହାଁନ୍ତି ବରଂ ଚାଷୀଙ୍କ ପ୍ରତିବାଦ ଯୋଗୁଁ ସାଧାରଣ ଜନତା ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତା ଉପରେ ଅଟକି ରହିଛି ଶହ ଶହ ଗାଡ଼ି । ଚାଷୀଙ୍କ ଅଭିଯୋଗ ହେଉଛି, ନମ୍ବର ଅନୁସାରେ ଧାନ କିଣିବା ବଦଳରେ ଅନିୟମିତତା କରାଯାଉଛି ।

ଏପଟେ ବଲାଙ୍ଗୀର ପତ୍ରାପାଲି ପ୍ୟାକ୍ସର ସ୍ଥିତି ଆହୁରି ସଙ୍ଗୀନ । କାରଣ, ମଣ୍ଡିରେ ଧାନ ପଡ଼ି ପଡ଼ି ଫିମ୍ଫି ଲାଗି ଗଲାଣି । ହେଲେ ଧାନ ଉଠି ପାରୁନି । ବଡ଼ କଥା ହେଉଛି, ଚାଷୀଙ୍କ କ୍ୱିଂଟାଲ କ୍ୱିଂଟାଲ ଧାନ ବିକ୍ରି ପାଇଁ ଆସିଥିବା ବେଳେ ପ୍ୟାକ୍ସ କର୍ମଚାରୀ ଏକାଧିକ ଚାଷୀଙ୍କ ଧାନର ପରିମାଣ ମାତ୍ର ୫୦ କୋଜି ବୋଲି ଏଂଟ୍ରି କରିଥିବା ଅଭିଯୋଗ ହୋଇଛି । ସେହିପରି କଟକ ଜିଲ୍ଲା ନିଆଳି ଏବଂ ଗଂଜାମ ଜିଲ୍ଳା ଆସିକାରୁ ମଧ୍ୟ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥାର ଅଭିଯୋଗ ଆସିଛି । ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନର ମାନକୁ ବାହାନା କରି କଟନୀ-ଛଟନୀ କରୁଥିବା ଅଭିଯୋଗ କରିଛନ୍ତି ନିଆଳି ଚାଷୀ । ସେପଟେ ମଣ୍ଡିରେ ଧାନ ଉଠୁନଥିବାରୁ ସୁଯୋଗ ନେଇ ଗାଁ ଗାଁରେ ପହଂଚି ଦଲାଲମାନେ ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣି ନେଉଥିବା ଅଭିଯୋଗ ହୋଇଛି । ଏସବୁ ଭିତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।