ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । କ୍ୟାବିନେଟ୍ ନିଷ୍ପତିକୁ ମିଲରଙ୍କ ବେଖାତିର, କେଉଁଠି ଖୋଲୁନି ମଣ୍ଡି ଆଉ କେଉଁଠି ଚାଲିଛି କଟନୀ ଛଟନୀ ।  

ଚାଷ ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥିବା ଚାଷୀ ଫସଲ ଅମଳ ପରେ ତାକୁ ବିକିବାରେ ମଧ୍ୟ ହିନସ୍ତା ହେଉଛନ୍ତି ଚାଷୀ ।

226

କନକ ବ୍ୟୁରୋ: ରାଜ୍ୟରେ ମୁଣ୍ଡ ଟେକିଛି ମଣ୍ଡି ବିବାଦ । କଳାହାଣ୍ଡି, ସମ୍ବଲପୁର,ବାଙ୍କୀ ଓ ଜୟପାଟଣା ଭଳି ସ୍ଥାନରେ ଚାଷୀକୂଳଙ୍କୁ ଘାରିଛି ମଣ୍ଡି ଚିନ୍ତା । କେଉଁଠି ମଣ୍ଡିରେ ଚାଷୀଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ ଧାନ କିଣାଯାଉ ନାହିଁ ତ ଅନ୍ୟ କେଉଁଠି ମଣ୍ଡି ଖୋଲା ନଯିବାରୁ ଚାଷୀ କୂଳ ହତାସ ହୋଇପଡ଼ିଛି । ଆଉ ଏହି ଘଟଣା ଚାଷୀ ଆଉ ସମସ୍ୟା ଯେମିତି ଅଙ୍ଗା ଅଙ୍ଗି ଭାବେ ଜଡିତ ବୋଲି ହୃଦୟଙ୍ଗମ କରୁଛି । ଚାଷ ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥିବା ଚାଷୀ ଫସଲ ଅମଳ ପରେ ତାକୁ ବିକିବାରେ ମଧ୍ୟ ହିନସ୍ତା ହେଉଛନ୍ତି । ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ରାତି ଅନିଦ୍ରା ହେଉଛନ୍ତି ଅନେକ ଚାଷୀ ।

ଅନ୍ୟପଟେ ଗତ ସେପ୍ଟେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ ହୋଇଥିବା ନିଷ୍ପତିକୁ ନେଇ ଅନେକ ପ୍ରଶ୍ନ ଏବେ ଚାଷୀ ଭାଇଙ୍କ ମନରେ ସୃଷ୍ଟି ହୋଇଛି । କାରଣ ରାଜ୍ୟ କ୍ୟାପିନେଟରେ ମଣ୍ଡିରେ ଧାନ ବିକିବାର ତିନି ଦିନ ଭିତରେ ଚାଷୀଙ୍କୁ ମିଳିବ ଉପଯୁକ୍ତ ଟଙ୍କା । ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟ ସିଧାସଳଖ ଟଙ୍କା ଯିବ ବୋଲି ଖାଦ୍ୟ ଓ ସଂଗ୍ରହ ନୀତିକୁ ମଞ୍ଜୁରୀ କ୍ୟାବିନେଟରେ ଦିଆଯାଇଥିଲା । ପୂର୍ବରୁ ମଣ୍ଡିରେ ଧାନ ବିକ୍ରି କରିବା ପରେ ଚାଷୀମାନେ ଠିକ୍ ସମୟରେ ଟଙ୍କା ପାଉ ନଥିବାନେଇ ଚାଷୀଙ୍କ ମନରେ ଅସନ୍ତୋଷ ରହିଥିଲା। ଏହି ସମସ୍ୟାକୁ ସରକାର ଦୂର କରିବା ନେଇ ଗୁରୁତ୍ୱ ଦେଇଥିଲେ । କିନ୍ତୁ ବର୍ତ୍ତମାନ ବାସ୍ତବ ଚିତ୍ର କିଛି ଅଲଗା ରହିଛି । ୭୨ ଘଣ୍ଟା ମଧ୍ୟରେ ଧାନ ପଇସା ମିଳିବ କ’ଣ ମୂଳରୁ ଧାନ ମଣ୍ଡିରୁ ଧାନ ଉଠୁ ନାହିଁ ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖପ୍ପା ରହିଛନ୍ତି ଚାଷୀ ଭାଇ ।

ସବୁଠାରୁ ଚିନ୍ତାର ବିଷୟ ହେଲା ଯେ, ଖରିଫ ଓ ରବି ଋତୁ ପାଇଁ  ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ଏବଂ ଏହାଠାରୁ ଯଦି ଅଧିକ ଧାନ ମଣ୍ଡିକୁ ଆସିବ ତାହାଲେ ସରକାର କିଣିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ଅନ୍ୟପଟେ ନଭେମ୍ବର ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ଖରିଫ ଧାନ ଏବଂ ୨୦୧୯ ମେ ରୁ ଜୁନ ମାସ ମଧ୍ୟରେ ରବି ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କିନ୍ତୁ ଏସବୁ କେବଳ କାଗଜ କଲମରେ ସୀମିତ ହୋଇ ରହିଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ଏଭଳି କି ବିଭିନ୍ନ ଜିଲ୍ଲାରେ ଧାନ କିଣା ଚାଲିଥିବା ବେଳେ ଧାନ ମଣ୍ଡି ରାସ୍ତା ଉପରେ ଚାଲିଛି  । ମଣ୍ଡିରେ କୌଣସି ଓଜନ ବ୍ୟବସ୍ଥା ନଥିବାରୁ ମିଲ୍ ମାଲିକ ଦେଉଥିବା ଓଜନ ଉପରେ ଚାଷୀଙ୍କୁ ପାଉଣା ମିଳୁଛି । ଖାଲି ଏତିକି ନୁହେଁ କ୍ୱିଂଟାଲ୍ ପିଛି ୫ରୁ ୬ କେଜି ଧାନ କଟନୀ ଛଟନୀ ମଧ୍ୟ କରାଯାଉଛି ବୋଲି ଚାଷୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

ଅନ୍ୟପଟେ କୃଷକ ଋଣ ଛାଡ଼ ଏବଂ ଏମଏସପି ନେଇ ଅନେକ ସମୟରେ କେନ୍ଦ୍ର ସରକାରଙ୍କୁ କାଉଣ୍ଟର କରୁଥିବା ବିଜେଡ଼ି ସରକାରଙ୍କ ଅଭିମୂଖ୍ୟ ନେଇ ବିରୋଧୀମାନେ ସ୍ୱର ସମାଲୋଚନା କରୁଛନ୍ତି । ଅକ୍ଳାନ୍ତ ପରିଶ୍ରମ କରି ଯେଉଁ ଅନ୍ନଦାତା ଧାନ ଅମଳ କରିଥିଲା ଆଜି ତାକୁ ବିକ୍ରୀ କରିବାକୁ ନାନାଦି ପ୍ରକାର ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି । ଖୋଲା ଆକାଶ ତଳେ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଆଉ ଏହାକୁ ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ରକ୍ତକୁ ପାଣି କରି ଜମିରୁ ଅମଳ କରିଥିବା ଫସଲ ଶୀତ କାକର ଖାଉଛି ବୋଲି ଯନ୍ତ୍ରଣାର ସହ ବଖାଣିଛନ୍ତି ଅନେକ କୃଷକ ଭାଇ ।