ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ ! ମିଲରଙ୍କ ଦେଖାନାହିଁ, ପ୍ରବଳ ଶୀତରେ ଜଗିରହିଛି ଚାଷୀ, ସେପଟେ ଚାନ୍ଦବାଲିରେ ଜଳିଗଲା କ୍ୱିଂଟାଲ କ୍ୱିଂଟାଲ ଧାନ ।

82

କନକ ବ୍ୟୁରୋ : ଧାନଗଦାରେ ଲାଗିଲା ନିଆଁ । ନିଆଁରେ ପୋଡି ପାଉଁଶ ହୋଇଗଲା କ୍ୱିଂଟାଲ କ୍ୱିଂଟାଲ ଧାନ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏପରି ଦୁଇ ଦୁଇଟି ଘଟଣା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ କ୍ରୟ କେନ୍ଦ୍ର ଗୁଡିକରେ କ୍ୱିଂଟାଲ କ୍ୱିଂଟାଲ ଧାନ ବସ୍ତା ଗଦା ହୋଇଥିବା ବେଳେ ମିଲର୍ସଙ୍କ ଦେଖା ନାହିଁ । ଖୋଲା ଆକାଶ ତଳେ ଧାନକୁ ଜଗି ବସିଛି ଚାଷୀ ।

ଏ ଘଟଣା ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜନ୍ତୁଆଳି ଗାଁର । ଧାନ ଗଦାରେ ନିଆଁ ଲାଗି ଚାଷୀଙ୍କ ଆଖିଆଗରେ ଜଳିଗଲା ଫସଲ । ପ୍ରାୟ ୩୦ କ୍ୱିଂଟାଲ ଧାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି । କିପରି ନିଆଁ ଲାଗିଲା ତାହା ଜଣାପଡିନାହିଁ । ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁ ଜଳିଯାଇଥିଲା । ଆଉ ଏହି ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ପ୍ରହରାଜପୁର ଗ୍ରାମର । ଯେଉଁଠି ୧୨ ଏକର ଜମିର ଧାନ ଫସଲ ପୋଡି ପାଉଁଶ ହୋଇଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ନିଆଁ ଲାଗିବାର ଏ ଦୃଶ୍ୟ ଦେଖିବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି ।

କ୍ରୟ କେନ୍ଦ୍ରରେ ବସ୍ତା ବସ୍ତା ଧାନ । ଆସୁନାହାନ୍ତି ମିଲର୍ସ, ଚାଷୀ ହତାସ । ଏ ଘଟଣା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଥିବା କ୍ରୟ କେନ୍ଦ୍ରର । ଗଦା ହୋଇଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଧାନ କିଣିବା ପାଇଁ  କୃଷି ସେବା ସମବାୟ ସମିତି ପକ୍ଷରୁ ଟୋକେନ ଯୋଗାଇ ଦିଆଯାଇଥିଲେ ମଧ୍ୟ ମିଲର୍ସଙ୍କ ଦେଖାନାହିଁ  । ଶୀତ କାକରରେ ମଣ୍ଡିରେ ଧାନକୁ ଜଗି ରହିଛି ଚାଷୀ । ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ଓ ମିଲର୍ସମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ  ମିଲର୍ସମାନେ ମନମୁଖୀ କାମ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଅନ୍ୟପକ୍ଷରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି ତୁରନ୍ତ ମିଲର୍ସମାନଙ୍କୁ କହି ଧାନ ଉଠାଯିବ ।

ଡୁଙ୍ଗୁରିପାଲି ବ୍ଲକରେ ଚଳିତ ଖରିଫ ଋତୁରେ ୨୭ହଜାର ୨୭୦କ୍ୱିଂଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ କିଣାହୋଇଛି ମାତ୍ର ୬ହଜାର ୬୬୦ କ୍ୱିଂଟାଲ ଧାନ । କାରଣ ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗର ମିଲର୍ସମାନଙ୍କ ଉପରେ ଅଙ୍କୁଶ ନାହିଁ । ତୁରନ୍ତ ମିଲର୍ସ ମାନଙ୍କ ଉପରେ ଲଗାମ ନ ଲଗାଇଲେ ଚାଷୀ ଦଲାଲ ହାତରେ କମ ଦରରେ ଧାନ ବିକ୍ରି କରିବାର ଆଶଙ୍କା ସୃଷ୍ଟି ହୋଇଛି ।