ଅଦିନିଆ ବର୍ଷା ସାଜିଲା କାଳ: ବର୍ଷା ଯୋଗୁଁ ମଣ୍ଡିରେ ପଶିଗଲା ପାଣି, ଭିଜିଗଲା ଧାନ 

126

କନକ ବ୍ୟୁରୋ: ଅଦିନିଆ ବର୍ଷା ପୁଣି ଥରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ବର୍ଷକ ଜାକ ପରିଶ୍ରମ କରି ଜମିରେ ସୁନା ଫଳାଇ ଦି ପଇସା ରୋଜଗାର କରିବ ଭାବି ମଣ୍ଡିକୁ ବିକ୍ରି କରିବାକୁ ଧାନ ଆଣିଥିଲା ଚାଷୀ । ହେଲେ ବର୍ଷା ଯୋଗୁଁ ମଣ୍ଡିରେ ପାଣି ପଶିଯିବାରୁ ଧାନ ଭିଜି ଯାଇଛି ।

କୁଚିଣ୍ଡା,ଗୁଣୁପୁର, ମାଥିଲି  । ସବୁଠି ସମାନ ଅବସ୍ଥା । ମଣ୍ଡିରେ ପଡିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ପଲିଥିନ ପକାଇ ଜଗି ବସିଛି ଚାଷୀ । ହେଲେ ଉପରପାଣିକୁ ସିନା ପାଲ ଅଟକାଇ ପାରୁଛି କିନ୍ତୁ ତଳବାଟେ ପାଣି ପଶି ଯିବାରୁ ଅଟକାଇ ହେଉନି । ପଶିଯାଇଥିବା ପାଣିକୁ କାଢ଼ିବା ବ୍ୟତୀତ ଆଉ କିଛି କରିପାରୁନି ଚାଷୀ ।

ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ୟା ଘେରରେ ଚାଷୀ ରହୁଥିବାବେଳେ ବଲାଙ୍ଗୀରରୁ ଆସିଛି ମଣ୍ଡି ଅବ୍ୟବସ୍ଥାର ଆଉ ଏକ ଚିତ୍ର । ମଣ୍ଡିରୁ ଧାନ ଉଠିବା ବଦଳରେ ମିଲରେ ସିଧାସଳଖ ଧାନ ବିକ୍ରି କରୁଛନ୍ତି ଚାଷୀ । ଧାନ ବିକ୍ରି ପାଇଁ ମିଲ ଆଗରେ ଲାଗିଛି ଧାନ ଭର୍ତି ଗାଡିର ଧାଡି । ମିଲରେ ଧାନ ଦେଲେ ଶ୍ରୀଘ୍ର ଟଙ୍କା ମିଳି ଯାଉଥିବାରୁ ଚାଷୀମାନେ ଏମିତି ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ।

ମଣ୍ଡି କେମିତି ବ୍ୟବସ୍ଥିତ ହେବ? ଚାଷୀ କେମିତି ବିନା ବାଧାରେ ଅମଳ ଫସଲ ବିକ୍ରି କରିପାରିବ ? ବିକ୍ରି ନହେବା ପର୍ଯ୍ୟନ୍ତ ମଣ୍ଡିରେ ଧାନ ସୁରକ୍ଷିତ ରହିପାରିବ? ସେଥିପାଇଁ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।