କନକ ନ୍ୟୁଜରେ ଖବର ବାଜିଲା, ବିବାଦ ତୁଟିଲା । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମଣ୍ଡିରୁ ଉଠିଲା ଧାନ

106

କନକ ବ୍ୟୁରୋ : ଚଳିତ ବର୍ଷ ଗତ ୧୯ ତାରିଖରୁ କୁଚିଣ୍ଡା ଉପଖଣ୍ଡରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ତିନୋଟି ବ୍ଲକରେ ୯ ଗୋଟି ଲ୍ୟାମ୍ପସ ୪୭ ଗୋଟି ମଣ୍ଡି ସହ ୧୫ ଗୋଟି ମହିଳା ସଂୟଂ ସହାୟକ ଗୋଷ୍ଠି ମାଧ୍ୟମରେ ସରକାର ଧାନ କିଣିବା ନେଇ ସ୍ୱିକୃତି ପ୍ରଦାନ କରିଛନ୍ତି । ତେବେ ଅଧିକାଂଶ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡି ରହିଥିବା ବେଳେ କଟନି ଛଟନି କୁ ନେଇ ମିଲର ଆସୁନଥିବାରୁ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ତେବେ କନକ ନ୍ୟୁଜରେ ଖବର ପ୍ରସାରଣ ଓ ରିୟଲିଟି ଚେକ ପରେ ପ୍ରଶାସନ, ମିଲର ଓ ଚାଷୀଙ୍କୁ ନେଇ ଏକ ଗୁରୁତ୍ୱ ପୁର୍ଣ୍ଣ ବୈଠକ ପରେ ଧାନ କିଣା ସ୍ୱାଭାବିକ ହୋଇଛି ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଧାନ କିଣାକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି । ଆଉ ମଣ୍ଡି ଜରିଆରେ ଚାଷୀଙ୍କ ଧାନ କିଣା ହୋଇଛି । ଜମନକିରା ଲ୍ୟାମ୍ପସ ଅଧିନରେ ଥିବା ଭୋଜପୁର, ଡିମିରିମୁଣ୍ଡା ଏବଂ ଫାଶିମାଲ ଲ୍ୟାମ୍ପସ ଅଧିନ ସୁବର୍ଣ୍ଣପାଲି, ଗୁଣ୍ଡୁରୁଚୁଅାଁ, ଫାଶିମାଲ, ଢୁଡିପାଲି ଭଳି ୬ଟି ମଣ୍ଡିରେ ଅଚଳାବସ୍ଥା ଓ କଟନି ଛଟନି ନେଇ ବିବାଦ ଉପୁଜିଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଗୁଣ୍ଡୁରୁଚୁଆଁ ମଣ୍ଡିରେ ଅତିରିକ୍ତ ଯୋଗାଣ ଅଧିକାରୀ, ୮ ଜଣ ମିଲର ଓ ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିଛନ୍ତି ।

ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ମିଲରମାନେ ଏସବୁ ମଣ୍ଡିରେ ପଡିଥିବା ୯୮ ହଜାର ପ୍ୟାକେଟ ଧାନ ଉଠାଇବାକୁ ରାଜି ହୋଇଛନ୍ତି । ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଧାନ କିଣା ଯିବ । ଧାନର ମାନ ଦେଖି କିଣା ହେବ ବୋଲି ମିଲର କହିଛନ୍ତି ।

ତେବେ ଜମନକିରା ଓ ଫାଶିମାଲ ମଣ୍ଡି ଭଳି ଅନ୍ୟ ମଣ୍ଡିରେ ଥିବା ସମସ୍ୟାର ସମାଧାନ କରି ସରକାରୀ ଦରରେ ଧାନ କିଣା ହେଲେ ଚାଷୀ ଉପକୃତ ହୋଇପାରନ୍ତେ ।