ଫାଇଲିନ କ୍ଷତିପୂରଣ ପାଇବା ପାଇଁ ୫ କିଲୋମିଟର ପାଣିରେ ଚାଲିଲେ ଶତାଧିକ ଲୋକ

38

କନକ ବ୍ୟୁରୋ : ସରକାରଙ୍କ ନିକଟରେ ପହଞ୍ଚୁନି ସାଧାରଣ ଲୋକର ସ୍ୱର । ସରକାର ବିଭିନ୍ନ ପ୍ରତିଶୃତି ଦେଉଛନ୍ତି ସତ କିନ୍ତୁ ସେସବୁର ସଫଳ ରୂପାୟନ ପୂର୍ବରୁ ନାଲିଫିତା ତଳେ ଚାପି ହୋଇ ରହିଯାଉଛି । ଏଭଳି ଘଟଣା ଏବେ ପୁରୀରେ ଦେଖିବାକୁ ମିଳୁଛି । ସରକାର ପ୍ରତିଶ୍ରୃତି ପାଳନ କରିନଥିବା ଅଭିଯୋଗରେ ଆନ୍ଦୋଳନ ଆରମ୍ଭ କରିଛି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଫାଇଲିନ ମଂଚ । ୨୦୧୩ ମସିହାରେ ଫାଇଲିନ ବାତ୍ୟାରେ ପୁରୀ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ୨ଟି ବ୍ଲକରେ ୧୪ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ । ପରେ ସରକାର ବାସହରାଙ୍କୁ ବାତ୍ୟା ନିରୋଧ ଘର ଦେବାକୁ ଘୋଷଣା କରିଥିଲେ । କିନ୍ତୁ ସରକାରଙ୍କ ଘୋଷଣା ସେହିଭଳି ଘୋଷଣା ହୋଇ ରହିଯାଇଛି । ଏଯାଏଁ ନା କ୍ଷତିପୂରଣ ମିଳୁଛି ନା ବାତ୍ୟା ନିରୋଧ ଘର ପାଇଁ ଇଟା ଖଣ୍ଡେ ପଡିଛି ।

ତେଣୁ ଏହାର ପ୍ରତିବାଦରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଫାଇଲିନ କ୍ଷତିଗ୍ରସ୍ତ ପାଇକ. କୃଷକ ଓ ମତ୍ସ୍ୟଜୀବୀ ପରିବାର ପଦଯାତ୍ରା ଆରମ୍ଭ କରିଛନ୍ତି । ୨ ଦିନ ଚାଲିବା ପରେ ଗତକାଲି ଚିଲିକାର ଜହ୍ନିକୁଦା ଘାଟରୁ ସାତପଡାଘାଟ ଦୀର୍ଘ ୫ କିମି ପାଣିରେ ପଶି ସାତପଡା ଆସିଛନ୍ତି । ଏହି ପଦଯାତ୍ରା ବିଧାନସଭା ଯିବ । ଏବେ ବିଧାନସଭା ଅଧିବେଶନ ଚାଲୁଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶତାଧିକ କ୍ଷତିଗ୍ରସ୍ତ ପରିବାର ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।