ପଦମପୁର ଉପନିର୍ବାଚନ: କଂଗ୍ରେସକୁ ମିଳିଲା ମାତ୍ର ୩୫୪୮ ଭୋଟ, ସ୍ଥିତି ହରାଇଲେ ସତ୍ୟଭୂଷଣ ସାହୁ।

87

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନରେ ହାତକୁ ଜୋରଦାର ଝଟକା ମିଳିଛି । ମାତ୍ର ୩୫୪୮ ଖଣ୍ଡ ଭୋଟ ପାଇଛନ୍ତି ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ଯଦି ଅନ୍ୟ ପ୍ରାର୍ଥୀଙ୍କ କଥାକୁ ଦେଖିବା ବିଜେଡି ଏଠି ୧ ଲକ୍ଷ ୧୯ ହଜାର ୫୧୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୭୭ ହଜାର ୪୪୭ ଖଣ୍ଡ ଭୋଟ ହାତେଇଛି । ଏହା ତୁଳନାରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପାଇଁ ହେବିୱେଟ ପ୍ରଚାର କରିଥିଲେ, ହେଲେ ମଧ୍ୟ ଲୋକଙ୍କ ଭରସା ଜିତିବାରେ କଂଗ୍ରେସ ପୁଣି ଥରେ ଫେଲ ହୋଇଛି ।

୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ୩୨ ହଜାର ୭୮୭ ଖଣ୍ଡ ଭୋଟ ପାଇଥିଲେ କିନ୍ତୁ ଏହି ଉପନିର୍ବାଚନରେ ସେହି ଭୋଟକୁ ନିଜ ସପକ୍ଷରେ ଆଣିପାରିନଥିଲେ । ପୂର୍ବରୁ ୩ ଥର ବିଧାୟକ ରହିସାରିଥିବା ସତ୍ୟଭୂଷଣଙ୍କୁ ଲୋକେ ଗ୍ରହଣ କରିନାହାନ୍ତି ।

ଗତ ଧାମନଗର ଉପନିର୍ବାଚନ କଥାକୁ ଯଦି ଦେଖିବା କଂଗ୍ରେସ ସେଠାରେ ମଧ୍ୟ ମାତ୍ର ୩୫୩୩ ଖଣ୍ଡ ଭୋଟ ପାଇଥିଲା ପଦମପୁରରେ ଦଳୀୟ ପ୍ରାର୍ଥୀ ମାତ୍ର ୩୫୪୮ ଭୋଟ ପାଇଛନ୍ତି । ସମୟ ଗଡିବା ସହ କଂଗ୍ରେସ କେବଳ ଯେ ତୃତୀୟ ସ୍ଥାନରେ ରହୁଛି ତାହା ନୁହେଁ ଦଳର ଭୋଟ ପ୍ରତିଶତ ମଧ୍ୟ କମିବାରେ ଲାଗିଛି । ଯେଉଁଠି ଦିନେ ଦଳ ଭଲ ପ୍ରଦର୍ଶନ କରି ଭଲ ସ୍ଥିତିରେ ରହୁଥିଲା ଆଜି ସେହି ସମୟରେ ଦଳ ସ୍ଥିତିକୁ ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ଉପନିର୍ବାଚନର ଫଳାଫଳ ହିଁ ସ୍ପଷ୍ଟ କରିଦେଇଛି ୨୦୨୪ର ରାସ୍ତା ଦଳ ପାଇଁ ୨୦୧୯ଠାରୁ ମଧ୍ୟ କଷ୍ଟ ହେବ । ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଦ୍ୱିତୀୟ ସ୍ଥାନରେ ରହିଆସୁଥିଲା । ୨୦୧୯ରେ ଦଳ ତୃତୀୟ ସ୍ଥାନକୁ ଆସିଲା କିନ୍ତୁ ଏହା ପରବର୍ତ୍ତୀ  ଉପନିର୍ବାଚନରେ ଦଳ ତାର ସ୍ଥିତି ହରାଇସାରିଛି । ନେତୃତ୍ୱ ପରିବର୍ତ୍ତନ ସତ୍ତେ୍ୱ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ସଙ୍ଘର୍ଷ ଜାରିରଖିଛି । ୨୦୨୪ ବେଳେକୁ ଏହି ସ୍ଥିତି ଆହୁରି ଜଟିଳ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେବା ଆରମ୍ଭ କଲେଣି ।