ପଦ୍ମପୁରରେ ବିଜେପି କରିବ ପାୱାର ଶୋ’ : ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍ ମାଗିବେ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର

113

କନକ ବ୍ୟୁରୋ : ପଦ୍ମପୁରରେ ବିଜେପି କରିବ ପାୱାର ଶୋ’ । ଆସନ୍ତାକାଲି ଚାଷୀ ସମାବେଶରେ ଯୋଗଦେବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ସାମିଲ ହେବେ । ଆଜି ପଦ୍ମପୁର ଝାରବନ୍ଧ ବ୍ଲକରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଭୋଟ୍ ପଡିବାକୁ ଦିନ ପାଖେଇ ଆସୁଛି । ସମସ୍ତ ଦଳ ଏବେ ଭୋଟ୍ ବ୍ୟାଙ୍କ ସଜାଡିବାକୁ ଦିନରାତି ପରିଶ୍ରମ କରୁଛନ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଅଳ୍ପ ବ୍ୟବଧାନରେ ଏଠାରେ ହାରିଥିଲେ ।

ତେଣୁ ଏବେ ଉପନିର୍ବାଚନରେ ବିଜୟୀ ହେବାକୁ ଦଳ ସମସ୍ତ ସାମର୍ଥ୍ୟ ଲଗାଇ ଦେଇଛି । ଉପନିର୍ବାଚନରେ ଚାଷୀ ଏକ ପ୍ରସଙ୍ଗ ପାଲଟିଛି । ତେଣୁ ଚାଷୀଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରକୁ ଆସି  ପ୍ରଚାର କରିବେ । ସେହିପରି ବରଗଡ଼-ନୂଆପଡ଼ା ରେଳପ୍ରକଳ୍ପରେ ରାଜ୍ୟ ସରକାର କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ରେଳ ପ୍ରସଙ୍ଗ ଉପରେ କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ପଦ୍ମପୁର ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଅର୍ଥାତ ୨୭ ତାରିଖ ପାଇକମାଳ ଓ ପଦ୍ମପୁର ବ୍ଲକରେ ପ୍ରଚାର କରିବେ ।