୧୨୬ ବର୍ଷିୟ ବାବା ଶିବାନନ୍ଦଙ୍କୁ ପଦ୍ମଶ୍ରୀ, ଜାଣନ୍ତୁ କେମିତି ରହିଛନ୍ତି ଫିଟ୍

277

କନକ ବ୍ୟୁରୋ : ୧୨୬ ବର୍ଷିୟ ବାବା ଶିବାନନ୍ଦଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରିବାକୁ ଯାଉଛନ୍ତି । ଏକଥା ପ୍ରଚାରିତ ହେବା ପରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ କି ବାସ୍ତବରେ କଣ ସେହି ବାବା ବଞ୍ଚିଛନ୍ତି ନା ମୃତ୍ୟୁ ପରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଉଛି । ବାସ୍ତବରେ ୧୨୬ ବର୍ଷର ବାବା ଶିବାନନ୍ଦ ଏବେ କେବଳ ବଞ୍ଚି ନାହାଁନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ ବି ରହିଛନ୍ତି ।

କାଶୀ ବାରଣାସୀର କବିରନଗରରେ ରହୁଥିବା ବାବା ଶିବାନନ୍ଦଙ୍କ ଆଧାର କାର୍ଡ ଓ ପାସପୋର୍ଟ ମୁତାବକ ତାଙ୍କ ଜନ୍ମ ତାରିଖ ହେଉଛି ୧୮୯୬ ମସିହା ଅଗଷ୍ଟ ୮ ତାରିଖ । ଏହି ଆଧାରରେ ସେ ଏବେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି । ହେଲେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ରହିଛି ଯାପାନର ଚିତେସୁ ବତନବେଙ୍କ ନାମ  ।

ଏବେ ଆସନ୍ତୁ ଜାଣିବା ଏତେ ବୟସରେ ବି ବାବା ଶିବାନନ୍ଦ କିଭଳି ରହିଛନ୍ତି ଫିଟ୍ । ବାବା ଶିବାନନ୍ଦ କେବଳ ସିଝା ଖାଦ୍ୟ ଖାଇଥାନ୍ତି । ଏହାସହ ପ୍ରତ୍ୟେକ ଦିନ ଭୋର ୩ ଟାରୁ ଉଠି ସେ ଯୋଗ କରିଥାନ୍ତି । ଏହାପରେ ପୂଜାପାଠରୁ ନିଜର ଦିନ ଆରମ୍ଭ କରିଥାନ୍ତି । ବାବାଙ୍କ କହିବା ମୁତାବକ ସେ ଫଳ ଓ କ୍ଷୀର ନୁହେଁ ବରଂ କେବଳ ସିଝା ଖାଦ୍ୟ ଭୋଜନ କରିଥାନ୍ତି । ଏହାସହ ସେ ଖାଦ୍ୟାରେ ଯଥାସମ୍ଭବ କମ୍ ଲୁଣ ଖାଇଥାନ୍ତି । ଏହା ତାଙ୍କ ଫିଟନେସ ପଛର ରହସ୍ୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପଦ୍ମଶ୍ରୀ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା ହେବା ପରେ ବାବା ଖୁସି ଅଛନ୍ତି । ସେ ଭାରତ ସରକାରଙ୍କୁ ତାଙ୍କ ନାମ ଚୟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବାବା କହିଛନ୍ତି କି ସେ ଜୀବନରେ ସରଳ ଜୀବନ ଯାପନକୁ ପସନ୍ଦ କରିଥାନ୍ତି । ଶୁଦ୍ଧ ଓ ନିରାମିଷ ଖାଦ୍ୟ ଖାଉଥିବା ଯୋଗୁଁ ସେ ସୁସ୍ଥ ରହିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ବୈଦ୍ୟ ଏସକେ ଅଗ୍ରୱାଲ କହିଛନ୍ତି କି ବାବା କେବଳ ସିଝା ଖାଦ୍ୟ ଖାଇବା ସହ ଶୃଙ୍ଖଳିତ ଜୀବନ ଯାପନ କରିଥାନ୍ତି । ଏହାସହ ତାଙ୍କ ସୁସ୍ଥତା ପଛରେ ତାଙ୍କର ଯୋଗ ଓ ପ୍ରାଣାୟମ ଅଧିକ ଗୁରୁତ୍ୱ ବହନ କରିଛି ।