ଅକ୍ସଫାମ୍ ରିପୋର୍ଟରେ ଆସିଲା ଆଖି ଖୋଲିଦେଲା ଭଳି ତଥ୍ୟ! ଦେଶର ୯ ଜଣ ଧନୀଙ୍କ ପାଖରେ ଅଛି ୫୦ ପ୍ରତିଶତ ଲୋକଙ୍କର ସମ୍ପତି

182

କନକ ବ୍ୟୁରୋ : ଧନୀଙ୍କ ଧନ ଯେଉଁ ପରିମାଣରେ ବଢ଼ୁଛି, ସେହି ପରିମାଣରେ ଗରିବଙ୍କ ହାତକୁ ଆସୁନି ଟଙ୍କା । ଭାରତରେ ଧନୀ-ଗରିବ ତାରତମ୍ୟ ନେଇ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ରଖିଛି ‘ଅକ୍ସଫାମ’ । ଏହି ରିପୋର୍ଟ ଅନୁସାରେ ଦେଶର ସବୁଠାରୁ ଅଧିକ, ୧ ପ୍ରତିଶତ ଧନୀଙ୍କ ସମ୍ପତ୍ତି ଗତବର୍ଷ ୩୯ ପ୍ରତିଶତ ବୃଦ୍ଧି ପାଇଛି । ଆଉ ସବୁଠାରୁ ଗରିବ ଥିବା ଅଧା ଲୋକଙ୍କ ସମ୍ପତ୍ତି ମାତ୍ର ୩ ପ୍ରତିଶତ ବଢ଼ିଛି । ଅନ୍ୟପଟରେ ଗତବର୍ଷ ଭାରତରେ ୧୮ଜଣ ଅରବପତି ବା ବିଲିୟନୟାରଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏବେ ଏହି ସଂଖ୍ୟା ୧୧୯ରେ ପହଂଚିଥିବା ଜଣାପଡ଼ିଛି ।

ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଭାରତରେ ଧନୀ ଲୋକଙ୍କ ସଂପତି ଅହେତୁକ ଭାବେ ବୃଦ୍ଧି ପାଉଛି । ଯେଉଁ ପରିମାଣରେ ଧନୀରୁ ଅଧିକ ଧନୀ ହେଉଛନ୍ତି, ସେହି ଅନୁପାତରେ ଗରିବଙ୍କ ସଂପତି ବଢ଼ୁନଥିବା ‘ଅକ୍ସଫାର୍ମ’ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅକ୍ସଫାର୍ମ ରିପୋର୍ଟ କହୁଛି-
-ଦେଶର ୧ ପ୍ରତିଶତ ଧନୀଙ୍କ ସମ୍ପତ୍ତିରେ ୩୯% ବୃଦ୍ଧି ପାଇଛି
-ଦେଶର ଅଧା ଲୋକଙ୍କ ସମ୍ପତ୍ତିରେ ମାତ୍ର ୩% ବୃଦ୍ଧି ପାଇଛି
-ଏବେ ଭାରତରେ ଅରବପତିଙ୍କ ସଂଖ୍ୟା ୧୧୯ରେ ପହଂଚିଛି

ବିଡମ୍ବନାର କଥା ହେଉଛି :
– ଭାରତର ୧୦ ପ୍ରତିଶତ ଧନୀଙ୍କ ନିକଟରେ ରହିଛି ଦେଶର ୭୭.୪% ସଂପତି
– ଭାରତର ମାତ୍ର ୧ ପ୍ରତିଶତ ଧନୀଙ୍କ ପାଖରେ ରହିଛି ୫୧.୫୩ % ସଂପତି
– ୨୦୧୮ରୁ ୨୦୨୨ ମଧ୍ୟରେ ଭାରତରୁ ପ୍ରତିଦିନ ବାହାରିବେ ୭୦ଜଣ କୋଟିପତି

ଭାରତର ଜଣେ ଜଣେ ଧନୀଙ୍କ ପାଖରେ ଏତେ ସଂପତି ରହିଛି ଯେ, ସେମାନଙ୍କ ମୋଟ୍ ଟଙ୍କାରେ ସମଗ୍ର ଦେଶର ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣର ସବୁ ଖର୍ଚ୍ଚ ଭରଣା ହୋଇପାରିବ । ତାରତମ୍ୟ ରୋକିବା ପାଇଁ ଧନୀମାନଙ୍କ ଉପରେ ଟିକସ ହାର ବୃଦ୍ଧି କରିବାକୁ ଅକ୍ସଫାମ୍ ପରାମର୍ଶ ଦେଇଛି ।