ଠକ ଠିକାଦାର ଗିରଫ ! ପୋଲିସର ତନାଘନା ପରେ ଥାନାରେ ଆତ୍ମସମର୍ପଣ କଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ ମାଲିକ ପ୍ରତାପ ପଣ୍ଡା

46

କନକ ବ୍ୟୁରୋ : ଭୁବନେଶ୍ୱରର ବମିଖାଲରେ ଭୁଶୁଡିପଡିଥିବା ଓଭରବ୍ରିଜ୍ ନିର୍ମାଣ କରୁଥିବା ଠିକାସଂସ୍ଥାର ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ତନାଘନା ଆରମ୍ଭ ହେବା ପରେ ଖୋଜା ଚାଲିଥିଲା ଏହି ଠିକାସଂସ୍ଥାର ମାଲିକଙ୍କୁ । ଏବଂ ଆଜି ଡିସିପି ଅଫିସକୁ ଯାଇ ଆତ୍ମସମର୍ପଣ କରିଛନ୍ତି ପ୍ରତାପ ପଣ୍ଡା । ଇଏ ହେଉଛନ୍ତି ସେହି ବ୍ୟକ୍ତି , ଯାହାଙ୍କର ଠିକା ସଂସ୍ଥା ଓଡିଶାରେ ବଡ ବଡ ଫ୍ଲାଏ ଓଭର ନିର୍ମାଣ ପାଇଁ ଟେଣ୍ଡର ପାଇଛି । ବିଶେଷ କିଛି ଅନୁଭବ ନଥିବା ସତ୍ୱେ ଖୁବ୍ ସହଜରେ ଏହି ବ୍ୟକ୍ତି ଜଣକ ଠିକା ପାଇଯାଆନ୍ତି ।

ଅଭିଯୋଗ ଅନୁସାରେ କିଛି ପ୍ରଭାବଶାଳୀ ନେତା, ମନ୍ତ୍ରୀ, ପୁର୍ବତନ ମନ୍ତ୍ରୀ, ସରକାରୀ ଅଧିକାରୀ ଏହି ବ୍ୟକ୍ତିଙ୍କ ପକେଟରେ ଥାଆନ୍ତି । ଯେଉଁଥିପାଇଁ ଖୁବ୍ ସହଜରେ ତାଙ୍କୁ କାମ ମିଳିଯାଏ । ବୋମିଖାଲ ଓଭରବ୍ରିଜ୍ ସହିତ ତାଙ୍କର ଠିକାସଂସ୍ଥା ଏବେ ସମ୍ବଲପୁର, ଜଟଣୀ ଓ ଭୁବନେଶ୍ୱରର ପୋଖରୀପୁଟରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରୁଛି । ଏ ବାବୁଙ୍କର ଆଉ ଏକ କରାମତି ହେଉଛି – ତାଙ୍କ କମ୍ପାନୀର ନେଟୱର୍ଥ ପ୍ରାୟ ୧୮ କୋଟି ଟଙ୍କା ଥିବା ବେଳେ କାମ କିନ୍ତୁ କରୁଛନ୍ତି ୫ ଶହ କୋଟିରୁ ଉଦ୍ଧ୍ୱର୍ ଟଙ୍କାର । କାରଣ ପାୱାର କରିଡରରେ ତାଙ୍କର ହାତ ଖୁବ ଲମ୍ବା ।

ଏବେ ନଜର ପକାନ୍ତୁ ଏହି ସବୁ ଫ୍ଲାଏ ଓଭର ନିର୍ମାଣ ପାଇଁ କିଏ ଦେଇଥାଏ ଅନୁମତି ଏବଂ କେଉଁ ପରିସ୍ଥିତିରେ ଏସବୁ ଟେଣ୍ଡର ଦିଆଯାଇଛି । ପୂର୍ତ ବିଭାଗର ସଚିବ ନଳୀନିକାନ୍ତ ପ୍ରଧାନଙ୍କ ଉପରେ ଏବେ ବଡ ପ୍ରଶ୍ନ ।

1ପୂର୍ତ୍ତ ସଚିବ ଇଂଜିନିୟର ନଳିନୀକାନ୍ତ ପ୍ରଧାନ । ଯାହାଙ୍କ ଦସ୍ତଖତରେ ଆରମ୍ଭ ହୋଇଥିଲା ଏହି ନିମ୍ନମାନର ବମିଖାଲ ଓଭରବ୍ରିଜ କାର୍ଯ୍ୟ । ୧୯୮୦ ଦଶକରେ ପୂର୍ତ୍ତ ବିଭାଗରେ ଜଣେ ସହକାରୀ ଯନ୍ତ୍ରୀ ଭାବେ କାମ ଆରମ୍ଭ କରିଥିବା ଏହି ଅଧିକାରୀଙ୍କ ତତ୍ୱାବଧାନରେ କେବଳ ବମିଖାଲ ଓଭରବ୍ରିଜ କାର୍ଯ୍ୟ ଭୁଶୁଡ଼ି ପଡ଼ିନାହିଁ ଏହିପରି ରାଜ୍ୟର ଅନେକ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିଥିବାର ରେକର୍ଡ ରହିଛି ।

ଇଂ ପ୍ରଧାନ ସଚିବ ଥିବା ସମୟରେ ରାଜ୍ୟର ମୋଟ୍ ୭ଟି ସେତୁ ଭୁଶୁଡ଼ି ପଡ଼ିଥିବା ଜଣାପଡିଛି ।

ମାର୍ଚ୍ଚ ୨୦୧୭- କଟକରେ ସିଡିଏ-ନୂଆପାଟଣା ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିଥିଲା ।

ଏହା ପୂର୍ବରୁ ଗଂଜାମ ଜିଲ୍ଲା ବୁଗୁଡ଼ାରେ ମଧ୍ୟ ଏକ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିଥିଲା ।

ମାଓ ଲଢ଼େଇରେ ଗମନାଗମନର ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ବିଚ୍ଛିନ୍ନାଚଂଳରେ ନିର୍ମାଣ ଚାଲିଥିବା ମାଲକାନାଗିରିର ଗୁରୁପ୍ରିୟା ସେତୁ ଏହା ମଧ୍ୟରେ ଦୁଇଥର କାର୍ଯ୍ୟ ଶେଷ ହେବା ପୂର୍ବରୁ ଭାଂଗି ପଡ଼ିଲାଣି ।

କଟକ ଜିଲ୍ଲାର ବାଙ୍କିଠାରେ ନିର୍ମାଣାଧିନ ଜାତମୁଣ୍ଡିଆ ସେତୁ ମଧ୍ୟ ୨୦୧୪ ଅଗଷ୍ଟ ୨୮ରେ ଭୁଶୁଡ଼ି ପଡ଼ିଥିଲା ।
ସେହିପରି ଗୋପସ୍ଥିତ ନେତପୁର ସେତୁ ମଧ୍ୟ ଭୁଶୁଡ଼ି ପଡ଼ିଥିବା ନଜିର ରହିଛି ।

3ଅନ୍ୟପଟେ ବମିଖାଲ ଦୁର୍ଘଟଣା ଗୋଟିଏ ପରିବାରର ହସଖୁସି ଉଜାଡିଦେଇଛି । ଘରର ମୁରବୀ ଆରପାରିରେ ଆଉ କୁନି ଝିଅ ଗୁରୁତର ଅବସ୍ଥାରେ ଏବେ ହସପିଟାଲରେ ଚିକିତ୍ସିତ ହେଉଛି । ବ୍ରିଜ୍ ଭୁଶୁଡିବା ପରେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଝାରପଡାର ସତ୍ୟବ୍ରତ ପଟନାୟକଙ୍କ ଅନ୍ତେଷ୍ଟି ସରିଛି । ହେଲେ ଏମ୍ସ ହସପିଟାଲରେ ଏବେବି ଚାଲିଛି ୮ ବର୍ଷର ଝିଅ ଶୀତଲର ଚିକିତ୍ସା ।

ଝାରପଡା ମାଜେଷ୍ଟିକ୍ ଆପାର୍ଟମେଂଟର ପ୍ଲଟ୍-ନଂ ୨୦୨ । ଏଇଠି ରୁହନ୍ତି ସତ୍ୟବ୍ରତଙ୍କ ପରିବାର । ହେଲେ ଏବେ ଏହି ଘରେ ତାଲା ପଡିଛି । ପଡୋଶୀଙ୍କ କହିବା କଥା, ସତ୍ୟବ୍ରତ ବେଶ୍ ମେଳାପି ଓ ସରଳ ବ୍ୟକ୍ତି ଥିଲେ । ଯେକୌଣସି ସମସ୍ୟା ହେଲେ ଆଗେଇ ଆସି ତାର ସମାଧାନ କରୁଥିଲେ । ଏବେ ପ୍ରିୟର ପଡୋଶୀଙ୍କୁ ଝୁରୁଛନ୍ତି ଆପାର୍ଟମେଂଟ୍ ବାସିନ୍ଦା ।

ବମିଖାଲ ଓଭରବ୍ରିଜ୍ ଭୁଶୁଡିଲାନି ଯେ, ସତ୍ୟବ୍ରତଙ୍କ ସଂସାର ଉଜୁଡିଗଲା । ଝିଅ ହସପିଟାଲରେ ଆଉ ଘରର ମୁରବୀ ଆରପାରିରେ ।