ମହାରାଷ୍ଟ୍ରରେ ପୁଣି ବ୍ୟାପିଲାଣି କରୋନା ମହାମାରୀ!  ୨୪ ଘଣ୍ଟାରେ ଚିହ୍ନଟ ହେଲେଣି ୬ ହଜାରରୁ ଅଧିକ ଆକ୍ରାନ୍ତ, କଡା କଟକଣା ଜାରି କଲେ ମହାରାଷ୍ଟ୍ର ସରକାର । 

315

କନକ ବ୍ୟୁରୋ :  ଶୁକ୍ରବାର ଦିନ ୬,୧୧୨ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ଓ ୪୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହେବା ପରେ ମହାରାଷ୍ଟ୍ରରେ କଡ଼ା କଟକଣା ଜାରି କରାଯାଇଛି। ବିଶେଷକରି ମହାରାଷ୍ଟ୍ରର ୩ଟି ଜିଲ୍ଲା ଯବତମଲ, ଅକୋଲା ଏବଂ ଅମରାବତୀରେ ସପ୍ତାହନ୍ତ ମାନଙ୍କରେ ସାମାଜିକ ଦୂରତ୍ୱ ନିୟମ ଜାରି କରିବାକୁ ଆଦେଶ ଦିଆଯାଇଛି। ଏହାଛଡ଼ା, ରବିବାର ଦିନ ଏହି ଜିଲ୍ଲାମାନଙ୍କରେ ଲକଡାଉନ୍‌ ପାଇଁ ଘୋଷଣା କରାଯାଇଛି। ଜନ ସମାବେଶ ନିମନ୍ତେ ଅନୁମତି ନ ଦେବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର୍‌ କହିଛନ୍ତି ଯେ, କୋଭିଡ୍‌-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସର୍ବସାଧାରଣରେ ମାସ୍କ୍‌ ନ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭୂତାଣୁ ସଂକ୍ରମଣ ଦମନ କରିବା ଲାଗି ଯେଉଁ ପଦକ୍ଷେପ ସବୁ ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ସେ ୨୧ ତାରିଖ ଦିନ ପୁଣେରେ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ସ୍ଥଳେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସର ପରିବର୍ତ୍ତିତ ପ୍ରଜାତିର ନମୁନା ଗୁରୁବାର ଦିନ ପୂର୍ବ ମହାରାଷ୍ଟ୍ରର ଅମରାବତୀ ଏବଂ ଯବତମଲ ଜିଲ୍ଲାରେ ଚିହ୍ନଟ କରାଯାଇଥିଲା। କିନ୍ତୁ, ଉକ୍ତ ଭୂତାଣୁର ଗୁଣସୂତ୍ର ଅନୁକ୍ରମ ଇଂଲଣ୍ଡ୍‌ କିଂବା ଦକ୍ଷିଣ ଆଫ୍ରିକାରେ ପରିବର୍ତ୍ତିତ ହୋଇଥିବା ଭୂତାଣୁର ଗୁଣସୂତ୍ର ଅନୁକ୍ରମ ସହ ମେଳ ଖାଉନାହିଁ।