୨୦୨୦ ଏପ୍ରିଲରୁ କେତେ ଶିଶୁ ହୋଇଛନ୍ତି ଅନାଥ, ସୁପ୍ରିମ କୋର୍ଟରେ ରିପୋର୍ଟ ଦାଖଲ କଲା ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଆୟୋଗ

116

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏନେଇ କେତେ ଶିଶୁ ଅନାଥ ହୋଇଛନ୍ତି ବା କେତେ ଶିଶୁ କୋଭିଡ କାରଣରୁ ପିତା ମାତାଙ୍କୁ ହରାଇଛନ୍ତି ଏନେଇ ସୁପ୍ରିମ କୋର୍ଟ ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ରିପୋର୍ଟ ମାଗିଥିବା ବେଳେ ଏବେ ଏହି ରିପୋର୍ଟ ଏନସିପିସିଆର ସୁପ୍ରିମ କୋର୍ଟରେ ଦାଖଲ କରିଛନ୍ତି ।

ଏନସିପିସିଆର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ରିପୋର୍ଟ ମୁତାବକ ୨୦୨୦ ଏପ୍ରିଲ ୧ ତାରିଖ ପରେ ଦେଶରେ ୧,୪୭,୪୯୨ ଜଣ ଶିଶୁ ସେମାନଙ୍କ ବାପା ମା ଙ୍କ ମଧ୍ୟରୁ କାହାକୁ ବି କରୋନା ସଂକ୍ରମଣରେ ହରାଇଛନ୍ତି । ଏନସିପିସିଆର କହିଛନ୍ତି କି ଅନାଥ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମାତା କିମ୍ବା ପିତା କରୋନା ମହାମାରୀ କାରଣରୁ ପ୍ରାଣ ହରାଇଛନ୍ତି ।

ଏକ ଅଭିଯୋଗ ଆଧାରରେ ସୁପ୍ରିମ କୋର୍ଟ ଏନସିପିସିଆରକୁ ରିପୋର୍ଟ ମାଗିଥିଲେ କି କରୋନା ମହାମାରୀ କାରଣରୁ କେତେ ଶିଶୁ ଅନାଥ ହୋଇଛନ୍ତି ତାହାର ଏକ ରିପୋର୍ଟ ଦାଖଲ କରିବାକୁ । ଏନେଇ ଏବେ ଏନସିପିସିଆର ଏହି ପରିସଂଖ୍ୟାନର ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିଛନ୍ତି । ଏନେଇ ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଆୟୋଗ କହିଛନ୍ତି କି ଏହି ରିପୋର୍ଟ ଯେଉଁ ସଂଖ୍ୟା ଦର୍ଶାଯାଇଛି ତାହା ୨୦୨୧ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ । ଏହାସହ ଏହି ରିପୋର୍ଟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଛ । ଅନ୍ୟପଟେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ‘ବାଲ ସ୍ୱରାଜ ପୋର୍ଟଏ- କୋଭିଡ କେୟାର’ରେ ଉପଲବ୍ଧ ଥିବା ଡାଟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା କଥା ଏନସିପିସିଆର କହିଛନ୍ତି ।