କରୋନା କାଳରେ ଅନାଥ ହୋଇଗଲେ ଅନେକ ଶିଶୁ : ଓଡ଼ିଶାରେ ଅଛନ୍ତି ସର୍ବାଧିକ; ୨୪,୪୦୫ଜଣ କରୋନା କାଳରେ ବାପା, ମାଆ କିମ୍ବା ଉଭୟଙ୍କୁ ହରାଇଛନ୍ତି

131

କନକ ବ୍ୟୁରୋ : କରୋନା କରିଦେଲା ଅନାଥ । କୋଭିଡ ମହାମାରୀ ସମୟରେ କରୋନା କିମ୍ବା ଅନ୍ୟ ରୋଗ କାରଣରୁ ଦେଶରେ ଲକ୍ଷେ ୪୭ ହଜାର ୪୯୨ରୁ ଅଧିକ ପିଲା ସେମାନଙ୍କ ବାପା, ମାଆ କିମ୍ବା ଉଭୟଙ୍କୁ ହରାଇଛନ୍ତି । ସୁପ୍ରିମକୋର୍ଟରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ, ଏନସିପିସିଆର ଏଭଳି ତଥ୍ୟ ପ୍ରଦାନ କରିଛନ୍ତି । ଏ ନେଇ ସତ୍ୟପାଠ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଛି ଏନସିପିସିଆର ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲ ସ୍ୱରାଜ ପୋର୍ଟାଲ-କୋଭିଡ କେୟାରରେ ଜାନୁଆରୀ ୧୧ ଯାଏଁ ଅପଲୋଡ କରାଯାଇଥିବା ତଥ୍ୟରୁ ଏହା ଜଣାପଡିଛି । ୨୦୨୦ ଏପ୍ରିଲ ପହିଲାରୁ ଜାନୁଆରୀ ୧୧ ୨୦୨୨ ମଧ୍ୟରେ ମିଳିଥିବା ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି । ଏଥରେ ସର୍ବାଗ୍ରେ ରହିଛି ଓଡିଶା । ରାଜ୍ୟରେ ୨୪ ହଜାର ୪୦୫ ଜଣ ପିଲା ବାପା କିମ୍ବା ମାଆ କିମ୍ବା ଉଭୟଙ୍କୁ ହରାଇଛନ୍ତି । ଓଡିଶା ପଛକୁ ରହିଛି ମହାରାଷ୍ଟ୍ର ଦେଶର ମୋଟ ସଂଖ୍ୟା ମଧ୍ୟରୁ ୧୦ ହଜାର ୯୪ଜଣ ପିଲା ଉଭୟ ବାପା ଓ ମାଆଙ୍କୁ ହରାଇଛନ୍ତି । ଆଉ ୧ ଲକ୍ଷ ୩୬ ହଜାର ୯୧୦ଜଣ ପିଲା କେବଳ ବାପା କିମ୍ବା କେବଳ ମାଆଙ୍କୁ ହରାଇଛନ୍ତି ।

ସେହିଭଳି ୪୮୮ ପିଲା ପରିତ୍ୟକ୍ତ ଅବସ୍ଥାରେ ମିଳିଛନ୍ତି । ତେଣୁ ଏହି ସମୟରେ ପିଲାଙ୍କ ସେବାଯତ୍ନର ଆବଶ୍ୟକ ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଲକ୍ଷେ ୪୭ ହଜାର ୪୯୨ ପିଲାଙ୍କ ମଧ୍ୟରୁ ୭୬ ହଜାର ୫୦୮ ବାଳକ ହୋଇଥିବାବେଳେ ୭୦ହଜାର ୯୮୦ ଝିଅ ବୋଲି ଜଣାପଡିଛି । ତେବେ ମହାମାରୀ ସମୟରେ ଯେଭଳି କମ ପିଲା ପ୍ରଭାବିତ ହେବେ ସେ ନେଇ ପଦକ୍ଷେପ ନିଆଯାଉଛି ବୋଲି ସତ୍ୟପାଠରେ କୁହାଯାଇଛି ।