କୁନି ମୁଣ୍ଡରେ ବିଚକ୍ଷଣ ବୁଦ୍ଧି । ସ୍କୁଲ ମାଟି ମାଡିବା ପୂର୍ବରୁ ରଚିଲେ ରେକର୍ଡ

187

କନକ ବ୍ୟୁରୋ:  ଭଲ କରି ପାଟି ଫିଟିନି । କଥା କହିଲା ବେଳକୁ ପାଟି ଖନି ବାଜି ଯାଉଛି । ହାତରେ ଭଲରେ ଖାଇ ଶିଖି ନାହାଁନ୍ତି । ଏଯାଏଁ ସ୍କୁଲରେ ପାଦ ପଡିନି  ।ହେଲେ ମୁଣ୍ଡରେ ବୁଦ୍ଧି କିନ୍ତୁ ବିଚକ୍ଷଣ । ଯାହା ପଚାରିଲେ ପାଟିରୁ ବାହାରୁଛି ଚଟାପଟ ଉତ୍ତର । ଆମେ କହୁଛୁ  ମାତ୍ର ୩ ବର୍ଷ ବୟସରେ   ପୁରୀ ଜିଲ୍ଲା କରାସ ବ୍ଲକ କଳାପଦର ଗାଁର ଏ. ପି. ସାୱନି ରଚିଛନ୍ତି ଇଣ୍ଡିଆ ବୁକ୍ ରେକର୍ଡ୍ସ ।

ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମସଗୁଲ ଥାନ୍ତି ସାୱନି କିନ୍ତୁ ନୂଆ ନୂଆ କଥା ଜାଣିବାରେ ଆଗ୍ରହୀ । ଦେଶ ବିଦେଶର ବିଭିନ୍ନ ସାଧାରଣ ଜ୍ଞାନ ଜାଣିବାରେ ସେ ଆଗୁଆ । ଥରକେ ଯାହା କହି ଦେଲେ ତାକୁ ଚଟ୍ କି ମନେ ରଖିଦିଅନ୍ତି । ୨ ବର୍ଷ ବୟସରୁ ତାଙ୍କର ଏହି ଧୀଶକ୍ତିକୁ ଲକ୍ଷ୍ୟ କରିଥିଲେ ମା’ । ତେଣୁ ଝିଅର ଏହି ଅସାଧାରଣ ଗୁଣକୁ ଆହୁରି ଆଗେଇ ନେବା ଉପରେ ଗୁରୁତ୍ୱ ଦେଲେ ଅଲିଭାରାଣୀ । ନିଜ ବ୍ୟସ୍ତ ଜୀବନ ଭିତରେ ଘର କାମ କରୁଥିବାବେଳେ ଝିଅକୁ ବିଭିନ୍ନ ନୂଆ କଥା ଶିଖାଇଥାନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପରେ ଏସୀଆ ବୁକ୍ ଅଫ୍ ରେକର୍ଡ ପାଇଁ ଝିଅକୁ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ।

ଦୁନିଆଁର ଭଲ ମନ୍ଦ କିଛି ବୁଝିବା ବୟସ ହୋଇନି । ସ୍କୁଲରେ ଏଯାଏଁ ପାଦ ପଡିନି । ହେଲେ ବଡ ହୋଇ ଜଣେ ପ୍ରଶାସନିକ ଅଧିକାରୀ ହେବେ ବୋଲି ଇଚ୍ଛା ରଖିଛନ୍ତି ସାୱନି । ସାୱନି ବଡ ହୋଇ ଜଣେ ଦରଦୀ ମଣିଷ ହେବା ସହ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ଆଶା ରଖିଛନ୍ତି ପରିବାର ଲୋକେ ।