କପି ରୋକିବାକୁ ଅଦ୍ଭୁତ ଉପାୟ: ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ହଲରେ ବସିଲେ ଛାତ୍ରଛାତ୍ରୀ; ପେଟିର ଗୋଟିଏ ପଟେ ଦେଖିବା ପାଇଁ ଥିଲା କଣା

ସାଥୀ ପରିକ୍ଷାର୍ଥୀଙ୍କ ଉତ୍ତର ଖାତାରୁ ନକଲ ନକରିବା ପାଇଁ କଲେଜର ସତର୍କତା

915

କନକ ବ୍ୟୁରୋ: କପି ରୋକିବାକୁ ଅଦ୍ଭୁତ ଉପାୟ । ପରୀକ୍ଷାର୍ଥୀଙ୍କ ମୁଣ୍ଡରେ କାଗଜ ପେଟି । ଅର୍ଥାତ ଛାତ୍ରଛାତ୍ରୀଙ୍କ ମୁଣ୍ଡକୁ କାଗଜ ପେଟିରେ ସଂପୂର୍ଣ୍ଣ ଆବଦ୍ଧ କରି ପରୀକ୍ଷା ହଲରେ ବସିବାକୁ କୁହାଯାଇଥିଲା । କେବଳ ଗୋଟିଏ ପାଶ୍ୱର୍କୁ କଣା କରାଯାଇଥିଲା, ଫଳରେ ସେମାନେ ଉତର ଖାତା ଦେଖିପାରିବେ ଓ ଲେଖି ପାରିବେ । ପାଖରେ ବସିଥିବା ସାଥୀ ପରୀକ୍ଷାର୍ଥୀଙ୍କ ଉତର ଖାତାରୁ ନକଲ କରିପାରିବେ ନାହିଁ ।

ଏଭଳି ଅଭାବନୀୟ ଚିତ୍ର ଆସିଛି କର୍ଣ୍ଣାଟକରୁ । କର୍ଣ୍ଣଟକ ହାବେରୀରେ ଥିବା ପିୟୁ ବିଶ୍ୱବିଦ୍ୟାଳୟ ଅଧିନ ଏକ କଲେଜରେ ପ୍ରି-ୟୁନିଭର୍ସିଟି ପରୀକ୍ଷାରେ ଏଭଳି ପ୍ରୟୋଗ କରାଯାଇଥିଲା । ତେବେ ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପିୟୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କଲେଜରେ ପହଂଚିଥିଲେ । ପରୀକ୍ଷା ପରିଚାଳକଙ୍କୁ ଏଭଲି ପ୍ରୟୋଗକୁ ତୁରନ୍ତ ବନ୍ଦ କରିବା ପାଇଁ କହିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ତେବେ କଲେଜ ପକ୍ଷରୁ ସଫେଇ ଦିଆଯାଇଛି ଯେ, କପି ରୋକିବାକୁ ଏଭଳି ପ୍ରୟୋଗ କରାଯାଇଥିଲା । ଏଥିପାଇଁ ଛାତ୍ରଛାତ୍ରୀଙ୍କଠାରୁ ମଧ୍ୟ ଅନୁମତି ନିଆଯାଇଥିଲା । ଅର୍ଥାତ ଛାତ୍ରଛାତ୍ରୀଙ୍କ ସହମତିରେ ଏଭଲି ନିର୍ଦ୍ଦେଶ ଜାରି କରାଯାଇଥିଲା । କଲେଜ ପକ୍ଷରୁ ପିଲାମାନଙ୍କୁ କାଗଜ ପେଟି ଯୋଗାଇ ଦିଆଯାଇଥିଲା ।