ଜଣେ ନିଶାଖୋର ସାମ୍ବାଦିକଙ୍କୁ ହରାଇଲା ଓଡିଆ ସାମ୍ବାଦିକତା ଜଗତ । ଆରପାରିରେ ଅରିନ୍ଦମ ଦାସ…

479

କନକ ବ୍ୟୁରୋ: ଆରପାରିରେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ । ଶୁକ୍ରବାର ମୁଣ୍ଡଳୀଠାରେ ବୋଟ୍ ଓଲଟିବା ପରେ ଏଥିରେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ଏସସିବିର ମୁଖ୍ୟ ଚିକିତ୍ସାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଆଜି ମୁଣ୍ଡଳୀ ବ୍ୟାରେଜଠାରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ପାଣି ମଝିକୁ ଯାଇଥିଲା । ଯେଉଁଥିରେ ଓଡ୍ରାଫ୍ ଟିମ୍ ସହିତ ଓଟିଭିର କ୍ୟାମେରାମ୍ୟାନ୍ ଓ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ରହିଥିଲେ ।

ଏହି ସମୟରେ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ହଠାତ୍ ପାଣି ଭିତରେ ଓଲଟି ପଡିଥିଲା । ଯାହାପରେ ପାଣି ଭିତରେ ଓଟିଭିର ରିପୋର୍ଟର ଅରିନ୍ଦମ ଦାସଙ୍କ ସହିତ ଓଡ୍ରାଫ୍ କର୍ମଚାରୀ ପାଣି ଭିତରେ ବୁଡିଯାଇଥିଲେ । ପାଣିର ପ୍ରଖର ସ୍ରୋତ ଭିତରେ ସେମାନେ ଫସି ରହିଥିଲେ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ପରେ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଏସସିବିରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

ତେବେ ଅରିନ୍ଦମ ଦାସ ଏପରି ଜଣେ ରିପୋର୍ଟର ଥିଲେ, ଯିଏ ସବୁବେଳେ କାମକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଥିଲେ । ବାତ୍ୟା ହେଉ କି ବନ୍ୟା, ସବୁବେଳେ ତାଙ୍କୁ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲା । ଗତ ଫନି ବାତ୍ୟା ସମୟରେ ମଧ୍ୟ ତାଙ୍କୁ ଗ୍ରାଉଣ୍ଡ ଜିରୋରେ ରହି ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଥିଲା । ଯାହା ତାଙ୍କୁ ସାଧାରଣ ଲୋକଙ୍କ ଗହଣରେ ପରିଚିତ କରିପାରିଥିଲା । ଖାଲି ସେତିକି  ନୁହେଁ, ଅପରାଧଠାରୁ ଆରମ୍ଭ କରି ରାଜନୀତି, ସବୁ କ୍ଷେତ୍ରରେ ତାଙ୍କର ଦକ୍ଷତା ଭରି ରହିଥିଲା । ଆଜି ତାଙ୍କର ଦେହାନ୍ତ ପରେ ଏବେ ସାମ୍ବାଦିକତା ଜଗତରେ ଶୋକ ଖେଳିଯାଇଛି ।