ବିଶ୍ୱ ଅର୍ଥନୀତି ଫୋରମକୁ ୧୦୦ ଅରବପତିଙ୍କ ପତ୍ର । ଆମ ଉପରେ ଟିକସ ଲଗାଅ

106

କନକ ବ୍ୟୁରୋ : ଧନୀମାନଙ୍କ ଉପରେ ଅଧିକ ଟିକସ ଲଗାଇବା ପାଇଁ ସାରା ବିଶ୍ବରେ ଏକ ଆନ୍ଦୋଳନ ଜାରି ରହିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ୧୦୨ ଜଣ ମିଲିଓନେୟାର ଏକଜୁଟ ହୋଇ ସେମାନଙ୍କ ଉପରେ ଟିକସ ଲଗାଇବାକୁ ସରକାରଗୁଡ଼ିକୁ ଆହ୍ବାନ ଦେଇଛନ୍ତି । ଏନେଇ ସେମାନେ ବିଶ୍ବ ଅର୍ଥନୈତିକ ଫୋରମର ଅନଲାଇନ୍‌ ଡାଭୋସ୍‌ ବୈଠକକୁ ଏକ ଖୋଲା ଚିଠି ଲେଖିଛନ୍ତି । ଯେଉଁମାନଙ୍କ ପାଖରେ ୧୦ ଲକ୍ଷ ଡଲାରରୁ ଅଧିକ ସମ୍ପତ୍ତି ରହିଛି ସେମାନଙ୍କୁ ମିଲିଓନେୟାର କୁହାଯାଏ । ଧନୀମାନଙ୍କ ଉପରେ ଟିକସ ଲଗାଇଲେ ବର୍ଷକୁ ୨.୫୨ ଲକ୍ଷ କୋଟି ଡଲାର ସଂଗ୍ରହ ହୋଇପାରିବ। ତାହା ବିଶ୍ବର ସମସ୍ତଙ୍କୁ କୋଭିଡ୍ ଟିକା ଦେବା ଏବଂ ୨୩ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଲାଗି ଯଥେଷ୍ଟ। ଏହି ଚିଠି ଲେଖିଥିବା ମିଲିଓନେୟାରମାନଙ୍କ ମଧ୍ୟରେ ଡିଜ୍‌ନିର ଉତ୍ତରାଧିକାରୀ ଆବିଗେଲ୍ ଡିଜ୍‌ନି ମଧ୍ୟ ରହିଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନର ଟିକସ ବ୍ୟବସ୍ଥା ଯୁକ୍ତିସଙ୍ଗତ ନୁହେଁ ଏବଂ ଧନୀମାନେ ଯେଭଳି ଆହୁରି ଧନୀ ହୋଇପାରି‌ବେ ସେହିଭଳି ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି । ବିଶ୍ବର ପ୍ରତିଟି ଦେଶ ଧନୀମାନଙ୍କୁ ଉପଯୁକ୍ତ ଟିକସ ଦେବା ଲାଗି ଦାବି କରିବା ଦରକାର ବୋଲି ସେ କହିଛନ୍ତି । ଏଥି ସହିତ ଆମ ଉପରେ ଟିକସ ଲଗାଅ ବୋଲି ସେ ଆହ୍ବାନ ଦେଇଛନ୍ତି । ଏହି ଚିଠି ଲେଖିଥିବା ମିଲିଓନେୟାରମାନଙ୍କ ମଧ୍ୟରେ ଆମେରିକା, କାନାଡା, ଜର୍ମାନି, ବ୍ରିଟେନ୍, ଡେନମାର୍କ, ନରୱେ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ ଓ ଇରାନର ଧନୀମାନେ ରହିଛନ୍ତି । କିଛି ଦିନ ତଳେ ଅକ୍ସଫାମ୍ ଏକ ରିପୋର୍ଟ ଜାରି କରି ଜଣାଇଥିଲା ଯେ ମହାମାରୀ ପରେ ଧନୀମାନେ ଅଧିକ ଧନୀ ହୋଇଥିବା ବେଳେ ଗରିବ ଲୋକଙ୍କ ସଂଖ୍ୟା ବଢ଼ିଛି । ବିଶ୍ବର ଶୀର୍ଷ ୧୦ ଜଣ ଧନୀ ନିଜ ସମ୍ପତ୍ତିକୁ ଦ୍ବିଗୁଣିତ କରିପାରିଛନ୍ତି ।