କୁଲଭୂଷଣ ଯାଦବଙ୍କୁ ପାକିସ୍ତାନର ଫାଶି ଦଣ୍ଡାଦେଶ ! ବଂଚାଇବାକୁ ରାସ୍ତା ଖୋଜୁଛି ଭାରତ

31

କନକ ବ୍ୟୁରୋ : ର’ ଏଜେଂଟ୍ କହି କୁଲଭୂଷଣ ଯାଦବଙ୍କୁ ପାକିସ୍ତାନ ଫାଶି ଦଣ୍ଡାଦେଶ ଶୁଣାଇଥିବା ବେଳେ କୁଲଭୂଷଣଙ୍କୁ ବଂଚାଇବାକୁ ରାସ୍ତା ଖୋଜୁଛି ଭାରତ । ଏନେଇ ଭାରତ ପାଖରେ କିଛି ବିକଳ୍ପ ମଧ୍ୟ ଖୋଲା ରହିଛି । ପ୍ରଥମ ବିକଳ୍ପ ହେଉଛି ଏହି ମାମଲାରେ ଭାରତ ଅନ୍ତଃରାଷ୍ଟ୍ରୀୟ ଅଦାଲତର ଦ୍ୱାରସ୍ଥ ହୋଇପାରିବ । କାରଣ ଗତବର୍ଷ ପାକ୍ ବୈଦେଶିକ ପରାମର୍ଶଦାତା ପାକିସ୍ତାନ ସିନେଟକୁ କହିଥିଲେ ଯେ କୁଲଭୂଷଣଙ୍କ ବିରୋଧରେ ଦୃଢ ପ୍ରମାଣ ମିଳୁ ନଥିବାରୁ ସରକାର ଡୋଜିଅର ପୂରା କରିପାରୁ ନାହାଁନ୍ତି ।

ଏହା ସହ କୁଲଭୂଷଣ ର’ ଏଜେଂଟ୍ ବୋଲି ପାକିସ୍ତାନର ଦାବିକୁ ଶତ ପ୍ରତିଶତ ମିଥ୍ୟା କହି ସାରିଛନ୍ତି ପାକିସ୍ତାନରେ ଅବସ୍ଥାପିତ ଇରାନ୍ ରାଷ୍ଟ୍ରଦୂତ । ତେଣୁ ଏହି ସବୁ ତଥ୍ୟ ଆଧାରରେ ଅନ୍ତଃରାଷ୍ଟ୍ରୀୟ ଅଦାଲତର ଦ୍ୱାରସ୍ଥ ହୋଇପାରେ ଭାରତ । ତେବେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମସ୍ୟା ଠାରୁ ଅନ୍ତଃରାଷ୍ଟ୍ରୀୟ ସମୁଦାୟକୁ ଦୂରେଇ ରଖିବାକୁ ସବୁବେଳେ ଚାହିଁ ଆସିଛି ଭାରତ । ତେଣୁ ଏହି ନୀତିର ପରିପନ୍ଥୀ ହୋଇଥିବାରୁ ଅନ୍ତଃରାଷ୍ଟ୍ରୀୟ ଅଦାଲତକୁ ଯିବାର ସମ୍ଭାବନା କମ୍ ରହିଛି ।

ଆଉ ଏକ ବିକଳ୍ପ ହେଉଛି ଟ୍ରାକ୍ ଟୁ ଡିପ୍ଲୋମାସିରେ ସହମତି । ଅର୍ଥାତ୍ ଉଭୟ ଦେଶ ମଧ୍ୟରେ ଗୁପ୍ତଚରଙ୍କ ଅଦଳ-ବଦଳ । କାରଣ ଋଷ ଓ ଆମେରିକା ଭଳି ଅହି-ନକୁଳ ସଂପର୍କ ଥିବା ଦେଶଗୁଡିକ ବି ପରସ୍ପର ମଧ୍ୟରେ ଏପରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥାନ୍ତି । ତେବେ ପାକିସ୍ତାନର ସରିଫ ସରକାର ଯଦି ଏଥିପାଇଁ ରାଜି ବି ହୁଅନ୍ତି, ପାକ୍ ସେନା କିନ୍ତୁ ଏଥିପାଇଁ ଅନୁମତି ଦେବାର ସମ୍ଭାବନା କମ୍ ରହିଛି ।

ଆଉ ଏକ ବିକଳ୍ପ ହେଉଛି ପାକିସ୍ତାନରେ ପ୍ରଚଳିତ ଆଇନ ଅନୁଯାୟୀ କୋର୍ଟ ମାର୍ଶଲ ଦ୍ୱାରା ଦଣ୍ଡାଦେଶ ପାଇଥିବା ଦୋଷୀ ଏହାର ପୁନର୍ବିଚାର ପାଇଁ ସିଭିଲ୍ କୋର୍ଟରେ ଆବେଦନ କରିପାରିବେ । ଏଥିପାଇଁ ଭାରତ ମଧ୍ୟ ଓକିଲ ଯୋଗାଇ ଦେଇପାରିବ । ଏଭଳି ଅପରାଧୀଙ୍କ ପାଇଁ ସେଠାରେ ରାଷ୍ଟ୍ରପତିଙ୍କ ପାଖରେ ଗୁହାରି କରିବା ଶେଷ ବିକଳ୍ପ ହୋଇଥାଏ । କୁଲଭୂଷଣଙ୍କ ପାଖରେ ଏହି ବିକଳ୍ପ ଖୋଲା ରହିଛି ।

ତେବେ ଆଉ ଏକ ବିକଳ୍ପ ହେଉଛି ପାକିସ୍ତାନ ଉପରେ ଅନ୍ତଃରାଷ୍ଟ୍ରୀୟ ଚାପ । କାରଣ ଆମେରିକା ଓ ସାଉଦିଆରବ ପରି ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କ ଚାପ ପାକିସ୍ତାନୀ ଜେନରାଲଙ୍କ ଉପରେ ପ୍ରାୟ କାମ କରିଥାଏ । ଏହି ସବୁ ଦେଶ ସହ ଭାରତର ସଂପର୍କ ମଧ୍ୟ ବେଶ୍ ଭଲ ରହିଛି । ତେଣୁ କୂଟନୈତିକ ସ୍ତରରେ ପାକିସ୍ତାନ ଉପରେ ଚାପ ପକାଇପାରେ ଭାରତ । ତେବେ ଏତେ ସବୁ ବିକଳ୍ପ ସତ୍ୱେ ଭାରତୀୟ ବନ୍ଦୀଙ୍କ ବିରୋଧରେ ପାକିସ୍ତାନ ଯେଉଁଭଳି ଏକପାଖିଆ ନୀତି ଆପଣାଉଛି, ଭାରତର ଉଦ୍ୟମ କେତେ ସଫଳ ହେବ ତାହା ସନ୍ଦେହ ଘେରରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –