ଏକାଠି ହେଉଛନ୍ତି ବିଜେପି ବିରୋଧୀ: ସସପେନ୍ସରେ ନବୀନଙ୍କ ଆଭିମୁଖ୍ୟ

174

କନକ ବ୍ୟୁରୋ: ବିହାରରେ ବିଜେପିଠାରୁ ମୁହଁ ମୋଡିବା ପରେ ଏବେ ବିଜେପି ବିରୋଧୀ ଦଳର ନେତାଙ୍କୁ ଭେଟୁଛନ୍ତି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ପାଟନାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିବା ପରେ ଦିଲ୍ଲୀ ଯାଇ ଶରଦ ପାୱାର, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ, ସୀତାରାମ ୟେଚୁରୀ, ଅଖିଳେଶ ଯାଦବଙ୍କ ଭଳି ନେତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନର ୨୦ ମାସ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶ ଏବେଠୁ ଅଂଟା ଭିଡିଛନ୍ତି ।

ନୀତୀଶଙ୍କର ଏହି ଅଭିଯାନ ପରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ବଢିଛି । ଉଭୟ ପୂର୍ବରୁ ଏନଡିଏରେ ଥିବାରୁ ନୀତୀଶ ଏବଂ ନବୀନଙ୍କ ମଧ୍ୟରେ ଉତମ ସଂପର୍କ ରହି ଆସିଛି ।

ଅନ୍ତିମ ଥର ମାର୍ଚ୍ଚ ୭, ୨୦୧୭ରେ ଓଡିଶା ଗସ୍ତରେ ଥିବା ବେଳେ ନୀତୀଶ ନବୀନଙ୍କୁ ପ୍ରଶଂସା କରିଥିଲେ । ତେଣୁ ଅଣ ବିଜେପି ଦଳକୁ ଏକାଠି କରିବାକୁ ପ୍ରୟାସ କରୁଥିବା ନୀତୀଶ ଆଗାମୀ ଦିନରେ ନବୀନଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଛି ।

୨୦୦୯ ପାଖରୁ ଏଯାବତ ସମଦୂରତା ରାଜନୀତି କଥା କହି ଆସୁଛନ୍ତି ନବୀନ । ତେବେ ଏନଡିଏ ସରକାରରୁ ବିଭିନ୍ନ ପ୍ରସଙ୍ଗରେ ନବୀନ ସମର୍ଥନ କରି ଆସିଛନ୍ତି । କିନ୍ତୁ ୨୦୧୯ ନିର୍ବାଚନ ପରେ ବିଜେଡିର ଆଭିମୁଖ୍ୟରେ ଅନେକ ପରିବର୍ତନ ହୋଇଛି । ମୋଦୀ ସରକାରଙ୍କ ଦ୍ୱାରା ସଂସଦରେ ଆଗତ ହୋଇଥିବା ପ୍ରାୟ ସମସ୍ତ ପ୍ରସଙ୍ଗକୁ ବିନା ସର୍ତରେ ସମର୍ଥନ କରିଆସୁଛନ୍ତି । ଏପରି ସ୍ଥିତିରେ ନତୀଶଙ୍କୁ ନବୀନ ଭେଟିବେ ତ? କାରଣ ଏହି ଭେଟଘାଟ ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଇବ । ଅନ୍ୟପଟେ ସଂସଦରେ ବିଜେଡିର ୨୧ ସାଂସଦ ରହିଛନ୍ତି । ରାଜ୍ୟରେ ବିଜେଡିର ସ୍ଥିତି ମଜବୁତ ଥିବାରୁ ଦିଲ୍ଲୀରେ ବିଜେପି ବିରୋଧୀ ଲଢେଇ ପାଇଁ ନବୀନଙ୍କୁ ନିଜ ପଟକୁ ନେବାକୁ ନୀତୀଶ ପ୍ରୟାସ କରିପାରନ୍ତି ।

୨୦୧୪ ସାଧାରଣ ନିର୍ବାଚନ ପରେ କଂଗ୍ରେସ କ୍ରମଶଃ ଦୁର୍ବଳ ହୋଇ ଚାଲିଛି । ଏପରି ସ୍ଥିତିରେ ବିରୋଧୀ ଦଳ କିଏ ହେବ ତାହା ନିର୍ଣ୍ଣୟ ହୋଇପାରୁନି । କ’ଣ କରିବେ ନବୀନ? ବିଜେପି ସହିତ ରହିବେ? ବିରୋଧୀ ମେଳିରେ ସାମିଲ ହେବେ? ସମଦୂରତା ଆଭିମୁଖ୍ୟରେ ରହିବେ? ଏହାକୁୁ ନେଇ ଚର୍ଚ୍ଚା ବଢିଛି ।