କନକ ବ୍ୟୁରୋ : ବିଜେପି ସରକାରକୁ ହଟାଇବା ପାଇଁ ଏକାଠି ହୋଇଛନ୍ତି ଦେଶର ୧୫ଟି ବିରୋଧୀ ଦଳ । ସବୁ ଦଳର ଲକ୍ଷ୍ୟ ହେଉଛି କିପରି ୨୦୨୪ରେ ନରେନ୍ଦ୍ର ମୋଦୀଙ୍କୁ ହରାଇବେ । ଆଉ ବଡ଼ କଥା ହେଉଛି, ମୋଦୀ ସରକାରକୁ ହଟାଇବା ପାଇଁ ବିରୋଧୀ ଏକାଠି ନିର୍ବାଚନ ଲଢ଼ିବାକୁ ସହମତ ହୋଇଥିବା କୁହାଯାଉଛି । ବୈଠକର ନେତୃତ୍ୱ ନେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ।

Advertisment

ବର୍ତ୍ତମାନର ସରକାର ଇତିହାସ ବଦଳାଉଛନ୍ତି । ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ଇତିହାସ ପୃଷ୍ଠାରୁ ହଜାଇ ଦେବାକୁ ଉଦ୍ୟମ ହେଉଛି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏହା ବିଚାରଧାରାର ଲଢ଼େଇ ଆମ ଭିତରେ ଅଳ୍ପ-ବହୁତ ମତଭେଦ ଥାଇପାରେ, କିନ୍ତୁ ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ । କାରଣ ବାରମ୍ବାର ଦେଶର ସମ୍ବିଧାନ ଉପରେ ଆକ୍ରମଣ କରାଯାଉଛି ।

ମିଳିତ ପ୍ରେସ ବିବୃତିରେ ମମତା ବାନାର୍ଜୀ, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ମମତା କହିଛନ୍ତି, କେନ୍ଦ୍ର ବିରୋଧରେ ଯିଏ ସ୍ୱର ଉଠାଉଛି, ତାଙ୍କ ପଛରେ ସିବିଆଇ ଓ ଇଡି ଲଗାଇ ଦିଆଯାଉଛି   । ବିଜେପି ଯେତେ କଳା ଆଇନ୍ ଆଣିବ, ଆମେ ତାକୁ ଏକାଠି ହୋଇ ପ୍ରତିବାଦ କରିବୁ ।

ସେପଟେ ପ୍ରେସ କନଫରେନ୍ସରେ ସାମିଲ୍ ହୋଇନାହାନ୍ତି ଆମ୍ ଆଦମୀ ପାର୍ଟିର ନେତା । ବିରୋଧୀ ନେତାଙ୍କ ବୈଠକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଧା ପାଟନା ମୁଖ୍ୟମନ୍ତ୍ରୀ ବାସଭବନ ଅଭିମୁଖେ ବାହାରିଯାଇଥିଲେ । କୁହାଯାଉଛି ଯେ ଏହା ପୂର୍ବରୁ ବୈଠକରେ କେଜ୍ରିୱାଲ ଦିଲ୍ଲୀରେ ଅଧ୍ୟାଦେଶ ଉପରେ ସମସ୍ତଙ୍କ ସହାୟତା ଲୋଡ଼ିଥିଲେ । ଏହା ଉପରେ ଉଦ୍ଧବ ଠାକରେଙ୍କ ସମେତ କିଛି ନେତା ସମର୍ଥନ ଦେବାକୁ ଅପିଲ କରିଥିଲେ । କିନ୍ତୁ ନ୍ୟାସନାଲ୍ କନଫରେନ୍ସ ନେତା ଉମର ଅବଦୁଲ୍ଲା, କେଜ୍ରିୱାଲଙ୍କୁ ସମର୍ଥନ ଦେଇନଥିଲେ । ସେପଟେ ବିରୋଧୀଙ୍କ ଏହି ବୈଠକକୁ ନେଇ କଟାକ୍ଷ କରିଛି ବିଜେପି ।

ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ମୋଟ ୧୫ ବିରୋଧୀ ଦଳ ସାମିଲ୍ ହୋଇଥିଲେ । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଏନସିପି ମୁଖ୍ୟ ଶରଦ ପାୱାର, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଆରଜେଡିର ଲାଲୁ ଯାଦବ ଓ ତେଜସ୍ୱୀ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ସିପିଏମ ନେତା ସିତାରାମ ୟେଚୁରୀ, ସିପିଆଇ ନେତା ଡି ରାଜା, ପିଡିପି ନେତ୍ରୀ ମହବୁବା ମୁଫତି, ଏନସି ନେତା ଉମର ଅବଦୁଲ୍ଲା ପ୍ରମୁଖ ସାମିଲ୍ ଥିଲେ । ବିରୋଧୀ ଦଳର ଆଗାମୀ ବୈଠକ ଜୁଲାଇ ୧୨ ତାରିଖରେ ଶିମଲାରେ ହେବ ବୋଲି ସୂଚନା ଦିଆଯାଇଛି ।