କନକ ବ୍ୟୁରୋ : ବିହାରର ରାଜଧାନୀ ପାଟନାରେ ଆଜି ହେବ ମୋଦୀ ବିରୋଧୀ ମେଳି । ୨୦୨୪ ସାଧାରଣ ନିର୍ବାଚନରେ ମୋଦିଙ୍କୁ ମିଳିତ ଭାବେ ଟକ୍କର ଦେବାକୁ ଏଥିରେ ରଣନୀତି ପ୍ରସ୍ତୁତ ହେବ । ଏଥିପାଇଁ କଂଗ୍ରେସ ସମେତ ବିରୋଧୀ ନେତାଙ୍କୁ ନୀତିଶ କୁମାର ନିମନ୍ତ୍ରଣ ଦେଇଥିଲେ । ବୈଠକରେ ଯୋଗଦେବାକୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।

Advertisment

କଂଗ୍ରେସରୁ ଏହି ବୈଠକରେ କିଏ ଯୋଗଦେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ଆଜି ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ସପା ମୁଖ୍ୟ ଅଖିଳେଶ ଯାଦବ, ନେସନାଲ କନଫରେନ୍ସ ନେତା ଅବଦୁଲ ଫାରୁକ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରମୁଖ ପାଟନା ପହଞ୍ଚିବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ବାସଭବନରେ ଆଜ ଦିନ ୧୧ଟାରୁ ୪ଟା ଯାଏଁ ବିରୋଧୀଙ୍କ ମହାବୈଠକ ହେବ ।

ବିରୋଧୀଙ୍କ ମହାମେଳି ପୂର୍ବରୁ ଗତକାଲି ନୀତିଶଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ । ଏହାପରେ ମମତା ବାନାର୍ଜୀ ପାଟନାରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ଏହି ବୈଠକରେ ବିଜେଡି, ୱାଇଏସଆର କଂଗ୍ରେସ ଓ ଜେଡିଏସ ସାମିଲ ହେବେ ନାହିଁ । ୨୦୨୪ରେ ମୋଦିଙ୍କୁ ଟକ୍କର ଦେବାକୁ ନୀତିଶ କୁମାର ସବୁ ବିରୋଧୀଙ୍କୁ ଏକାଠି କରିବାକୁ ଉଦ୍ୟମ ଚଳାଇଛନ୍ତି ।