ବନ୍ଧୁକ ମୁନରେ ଶାସନ ଛଡାଇନେଇଥିବା ତାଲିବାନୀଙ୍କୁ ବଡ ବିରୋଧ । ପ୍ରଥମ ଥର ପାଇଁ ଜଲାଲାବାଦରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଲୋକ । ତାଲିବାନ ପତାକା କାଢ଼ି ଲଗାଇଲେ ଆଫଗାନ ପତାକା ।

569

କନକ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ତାଲିବାନ ବିରୋଧୀ ପ୍ରତିବାଦ ଦେଖିବାକୁ ମିଳିଛି । ପଶ୍ଚିମ ଆଫଗାନର ଜଲାଲାବାଦ ନାମକ ସହରର ଏକ ଛକରେ ବିକ୍ଷୋଭକାରୀ ମାନେ ତାଲିବାନ ବିରୋଧୀ ନାରା ଦେବା ସହ ଦେଶର ପତାକା ଉଡାଇଥିଲେ । କାବୁଲ ଠାରୁ ୧୫୦କିଲୋମିଟର ଦୂର ଜଲାଲାବାଦରେ ଏହି ପ୍ରତିବାଦ ଚାଲିଥିବାବେଳେ ତାଲିବାନୀ ମାନେ ଗୁଳି ଚଳାଇଥିଲେ । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଛି । ତାଲିବାନୀଙ୍କ ବିରୋଧରେ ଏଭଳି ପ୍ରତିବାଦ ପ୍ରଥମ ବୋଲି କୁହାଯାଉଛି ।

ଗତ କିଛିଦିନ ହେଲା ହାତରେ ବନ୍ଧୁକ ଧରି ତାଲିବାନୀମାନେ ଆଫଗାନ ରାସ୍ତାରେ ପଇଁତରା ମାରୁଥିବାର ଖବର ଆମେ ଜାଣିଛେ । ହେଲେ ଏହାରି ଭିତରେ ଆଫଗାନିସ୍ତାନର ଜଲାଲାବାଦରୁ ସାଧାରଣ ନାଗରିକଙ୍କ ପ୍ରତିବାଦ ସାମ୍ନାକୁ ଆସିଛି । ତାଲିବାନର କାବୁଲ ଦଖଲ ପରେ ଏହା ପ୍ରଥମ ବଡ ପ୍ରତିବାଦ । ତାଲିବାନ ବିରୋଧୀ ନାରା ଦେଇ ସାଙ୍ଗରେ ଜାତୀୟ ପତାକା ଧରି ଆଗକୁ ବଢୁଛନ୍ତି ଆଫଗାନିସ୍ତାନର ସାଧାରଣ ନାଗରିକ । ଜଲାଲାବାଦ ସହରରେ କିଛି ଲୋକ ତାଲିବାନକୁ ଖୋଲାଖୋଲି ବିରୋଧ କରିଛନ୍ତି । ହାତରେ ହତିଆର ଧରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରଠାରୁ କ୍ଷମତା ଛଡାଇ ନେଇଥିବା ଦୁର୍ଦ୍ଦର୍ଶ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ସାଧାରଣ ନାଗରିକଙ୍କ ନିର୍ଭିକ ସ୍ୱର ଶୁଭିଛି ।

ଜୀବନ ବିକଳରେ ଲୋକେ ଅନ୍ୟଦେଶର ଉଦ୍ଧାରକାରୀ ବିମାନରେ ଝୁଲି ବାହାରକୁ ଚାଲିଯିବାକୁ ବ୍ୟାକୁଳ ହେଉଥିବାର ଚିତ୍ର ଭିତରେ ଏହି ଚିତ୍ର ବି ସାମ୍ନାକୁ ଆସିଛି । ଯେଉଁଠି ଜଲାଲାବାଦର ଏକ ଉଚ୍ଚ ସ୍ମାରକୀରେ ତାଲିବାନ ପତାକାକୁ ଖୋଲି ଆଫଗାନିସ୍ତାନର ଜାତୀୟ ପତାକା ଉଡାଇବାକୁ ସାହସ ଜୁଟାଇଛନ୍ତି କିଛି ସାଧାରଣ ନାଗରିକ । ୮ ସେକେଣ୍ଡର ଏକ ଭିଡିଓକୁ ଟ୍ୱିଟ କରିଛି ଏକ ସ୍ଥାନୀୟ ଗଣମାଧ୍ୟମ ପାଝୱକ ଆଫଗାନ୍ ନ୍ୟୁଜ । ନାଲି, ନୀଳ ଓ କଳା ରଙ୍ଗର ଆଫଗାନ ଜାତୀୟ ପତାକାକୁ ଇଡାଇ କିଛି ଲୋକ ତାଲିବାନ ବିରୋଧରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଶୁଣାଇ ଦେଇଛନ୍ତି ।

ଦୀର୍ଘ ୨୦ ବର୍ଷ ପରେ ଆଫଗାନକୁ ପୁଣି କବଜାକୁ ନେଇଥିବା ତାଲିବାନ ଏଭଳି ଖୋଲା ଆହ୍ୱାନକୁ କେମିତି ହଜମ କରିପାରିଥାନ୍ତା । ଗତ ରବିବାର ତାଲିବାନର କାବୁଲ ଦଖଲ ପରେ ଏହା ପ୍ରଥମ ବଡ ପ୍ରତିବାଦ ଶୋଭାଯାତ୍ରା । ତେଣୁ ଲୋକଙ୍କୁ ଏଭଳି କରୁଥିବା ଦେଖି ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲେ ତାଲିବାନୀ ସୈନିକ । ଧମାଧମ ଗୁଳିମାଡରେ ଛତ୍ରଭଙ୍ଗ ଦେଇଥିଲେ ପ୍ରତିବାଦକାରୀ । ଆଖିବୁଜା ଗୁଳିମାଡରେ କିଛି ଲୋକଙ୍କ ମୃତ୍ୟୁ ହେବା ସହ କେତେକ ଆହତ ହୋଇଥିବା କୁହାଯାଉଛି । କୁହାଯାଉଛି କାବୁଲରେ ତାଲିବାନ ଓ ଆଫଗାନିସ୍ତାର ପୂର୍ବତନ ରାଷ୍ଟ୍ରପତି ହମିଦ କାର୍ଜାଇଙ୍କ ସହ ଅନ୍ୟକିଛି ନେତାଙ୍କୁ ନେଇ ଆଲୋଚନା ଚାଲିଛି । ମିଳିତ ସରକାର ଚଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜଲାଲାବାଦରେ ଏଭଳି ପ୍ରତିବାଦ ଓ ଗୁଳିକାଣ୍ଡ ହୋଇଛି । କାହାରି କିଛି କ୍ଷତି କରାଯିବ ନାହିଁ ବୋଲି ତାଲିବାନର ପ୍ରତିଶ୍ରୁତି ସତ୍ତେ୍ୱ ସାଧାରଣ ନାଗରିକ ବିଶ୍ୱାସ କରିପାରୁନାହାନ୍ତି ।