ଯୁଦ୍ଧକାଳୀନ ଭିତ୍ତିରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା ଅଭିଯାନ । ବନ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ସାମିଲ ହେଲା ଓଡ୍ରାଫ୍ ଟିମ୍ । ସ୍ଥିତି ସମୀକ୍ଷା ପରେ ଟାସ୍କଫୋର୍ସ ମୁଖ୍ୟଙ୍କ ସୂଚନା ।

61

କନକ ବ୍ୟୁରୋ: ଶିମିଳିପାଳର ନିଆଁ ଲିଭାଇବାକୁ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଅଭିଯାନ । କେବଳ ଶିଣିଳିପୀଳ ନୁହେଁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ପୋଡାଡିହା, ଚକ୍ରଧରପୁର, ବଡଖମଣ ପଂଚାୟତ ଅଂଚଳରେ ୧୦ରୁ ୧୨ ଟି ସ୍ଥାନରେ ଭୟଙ୍କର ନିଆଁ ଲାଗିଛି । ସନ୍ଧ୍ୟା ହେଲେ ଶିମିଳିପାଳର କରାଳ ନିଆଁ ଦୂରଦୁରାନ୍ତକୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି।

ଆଉ ଏହାରି ଭିତରେ ନିଆଁ ଲିଭା ଅଭିଯାନ ଯୁଦ୍ଧକାଳୀନ ଭିତିରେ ଚାଲିଛି । ବନବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ନିଆଁକୁ ଆୟତ କରିବା ଅଭିଯାନରେ ସାମିଲ ଓଡ୍ରାଫ୍ ଟିମ୍ । ଶିମିଳିପାଳର ପିଠାବଟା ରେଞ୍ଜରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ ପଂଚମ ବାଟାଲିୟନର ଏକ ଟିମ୍ । ସେହିପରି ବାଲେଶ୍ୱର ଓଡ୍ରାଫର ଏକ ଟିମ୍ ଜଶିପୁର ରେଞ୍ଜରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ନିଆଁ ଲିଭା କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ କିଛି ଭିଡିଓ ସେୟାର କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ।

ବଡ଼ କଥା ହେଉଛି ଜଙ୍ଗଲ ନିଆଁ ଖାଲି ଲୋକଙ୍କ ଉପରେ ପ୍ରଭାବ ପକାଇନି ବରଂ ଜଙ୍ଗଲ ନିଆଁ ପାଇଁ ହନ୍ତସନ୍ତ ହେଉଛନ୍ତି ବନ୍ୟପ୍ରାଣି । ଏମିତି କି ବନ୍ୟଜନ୍ତୁ ଗାଁ ମୁହାଁ ହେବାର ଦେଖିବାକୁ ମିଳିଛି । କରଂଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଷି ଗାଁରେ ବିଜୁ ମହାରଣାଙ୍କ ଘରେ ଏକ ହରିଣ ପସିଯାଇଛି । ବର୍ତମାନ ହରିଣଟି ଅସୁସ୍ଥ ଥିବା କହିଛନ୍ତି ବନବିଭାଗ କର୍ମଚାରୀ ।

ତେବେ ବନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ- ବିଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁର ଶତକଡ଼ା ୯୫ ଭାଗ ନିଆକୁ ଲିଭାଯାଇଛି । ବିଗତ ଦୁଇ ଦିନରେ ୬ ହଜାର ୨୫୮ଟି ନିଆଁ ଲାଗିଥିବା ସ୍ଥାନ ମଧ୍ୟରୁ ୩ ହଜାର ୨୫୮କୁ ହ୍ରାସ ପାଇଛି । ରାଜ୍ୟରେ ଅଧିକ ଶହେଟି ଦଳକୁ ଆବଶ୍ୟକତା ଅନୁସାରେ ନିଆଁ ଲିଭାଇବା ଦିଗରେ ନିୟୋଜିତ କରିବା ପାଇଁ ସ୍ଥିର ହୋଇଛି । ଅଧିକ ୭ଶହଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ ଡିଏଫ୍ଓଙ୍କୁ ନେଇ ସମୀକ୍ଷା ପରେ ଏନେଇ ସୂଚନା ଦିଆଯାଇଛି । ଏପଟେ ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ହାଇକୋର୍ଟରେ ମାମଲା ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି ।ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି । ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି ।