ନୂଆପଡ଼ାରେ ଅପରେସନ ଟାଇଗର : ମଣିଷଖିଆ ବାଘକୁ ଧରିବା ପାଇଁ ବନବିଭାଗ ସହ ରାତି ଅନିଦ୍ରା ଗ୍ରାମବାସୀ

28

କନକ ବ୍ୟୁରୋ : ମଣିଷଖିଆ ବାଘ ଧରିବାକୁ ନୂଆପଡ଼ା ହଳଦୀ ଗାଁରେ ଚାଲିଛି ଅପରେଶନ ଟାଇଗର । ଗତ ସପ୍ତାହରେ କଲରାପତରିଆ ବାଘଟି ଗାଁର ଏକ ଶିଶୁ ଛୁଆକୁ ଟାଣିନେଇଥିଲା । ଏହା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ ।

ଗତକାଲି ସକାଳେ ଏକ ମନ୍ଦିର ପାଖରେ ବାଘଟି ବୁଲୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ବନବିଭାଗକୁ ଏ ନେଇ ଖବର ଦିଆଯିବା ପରେ ଅପରେଶନ ଟାଇଗର ଆରମ୍ଭ ହୋଇଛି । ବାଘକୁ ଧରିବାକୁ ପୋଲିସ, ବନବିଭାଗ କର୍ମଚାରୀଙ୍କ ସହ ଗାଁ ଲୋକେ ନୟାନ୍ତ ହୋଇଛନ୍ତି । ଏପରିକି ଗାଁ ଲୋକଙ୍କୁ ରାତି ଅନିଦ୍ରା ହେବାକୁ ପଡିଛି । ଆଉ ସ୍ଥାନୀୟ ଲୋକଙ୍କୁ ସାଥ୍ ଦେଇଛି ପୋଲିସ ।

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଗାଁର ପୁରୁଷ ଲୋକଙ୍କୁ ରାତ୍ରି ଅନିଦ୍ରା ହେବାକୁ ପଡିଛି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା , ସେମାନେ ସକାଳ ଓ ସନ୍ଧ୍ୟାରେ ଦୁଇଥର ପାହାଡ଼ ଉପରେ ବାଘକୁ ଦେଖିଛନ୍ତି । ତେଣୁ ବାଘକୁ ଧରିବାକୁ ଚାଲିଥିବା ଅପରେସନରେ ବନବିଭାଗ ଓ ପୋଲିସର ସାଥ ଦେଇଛନ୍ତି ଗାଁ ଲୋକେ । ବାଘ ଧରିବାକୁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ପାଟ୍ରୋଲିଂକୁ ବଢାଯାଇଥିବା ବେଳେ ଯନ୍ତାକୁ ବି ପ୍ରସ୍ତୁତ କରି ରଖାଯାଇଛି । ବାଘର ଚଳାଚଳ ଉପରେ ନଜର ରଖିବାକୁ କ୍ୟାମେରା ବି ଲଗାଇଛି ବନବିଭାଗ ।