ହାତୀ ପିଠିରୁ ଫୁଟିଲା ଗୁଳି, ଛୁ ମାରିଲା ସୁନ୍ଦରୀ !

ଫେଲ ମାରିଲା ଟ୍ରାଙ୍କୁଲାଇଜ୍ ଟିମର ଉଦ୍ୟମ, ବାଘୁଣୀ ଦେହରେ ବାଜିଲାନି ନିଶ୍ଚେତକ ଗୁଳି ।

513

କନକ ବ୍ୟୁରୋ : ହାତୀ ଯଶୋଦା ପିଠିରେ ବସି ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଗୁଳି ମାରିଲା ବିଶେଷଜ୍ଞ ଟିମ୍ । ହେଲେ ଧରାଦେଲାନି ବାଘୁଣୀ । ସାତକୋଶିଆରେ ବାଘୁଣୀକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ ସୁନ୍ଦରୀ । ଚନ୍ଦକାରୁ ଆସିଥିବା କୁମକୀ ହାତୀ ଯଶୋଦାର ସାହାରା ନେଉଛି ମଧ୍ୟପ୍ରଦେଶର ବିଶେଷଜ୍ଞ ଟିମ୍ । ହେଲେ ସବୁପରେ ମଧ୍ୟ ନିଶ୍ଚେତକ ଟିମକୁ ଚକମା ଦେଇଛି ସୁନ୍ଦରୀ ।

ସାତକୋଶିଆର ଘଂଚ ଜଙ୍ଗଲରେ ହାତୀ ଯଶୋଦା ପିଠିରୁ ସୁନ୍ଦରୀକୁ ଗୁଳି । ଜଙ୍ଗଲ ମଧ୍ୟରେ ବାଘ ସହ ସାମ୍ନାସାମ୍ନି ହୋଇଥିଲା ଯଶୋଦା । ହାତୀ ଯଶୋଦା ପିଠିରେ ବସିଥିଲେ ମଧ୍ୟପ୍ରଦେଶର ବାନ୍ଧବଗଡରୁ ଆସିଥିବା ବିଶେଷଜ୍ଞ ଦଳ । ବାଘୁଣୀକୁ ସାମ୍ନାରେ ଦେଖିବା ମାତ୍ରେ ଆଉ ଡେରି କରିନଥିଲେ ଟ୍ରାଙ୍କୁଲାଇଜର ଏକ୍ସପର୍ଟ । ଏବଂ ବନ୍ଧୁକରୁ ଗୁଳି ଫୁଟାଇଦେଲେ । କିନ୍ତୁ ବାଘୁଣୀ ସୁ୍ନ୍ଦରୀ ଏତେଶୀଘ୍ର ନିଶ୍ଚେତକ ଦଳର ଜାଲରେ ଧରାପଡିନଥିଲା । ଗୁଳି ଫୁଟିବା ମାତ୍ରେ ଡିଆଁ ମାରି ଦୂରକୁ ପଳାଇଲା ।

ସାତକୋଶିଆ ଅଭୟାରଣ୍ୟ କୋର୍ ଅଂଚଳର ମଝିପଡା ଗାଁ ପାଖ ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ । ପ୍ରାୟ ଚାରୋଟି ପର୍ଯ୍ୟାୟରେ ଧରା ନପଡିବାରୁ ଏବେ ସୁନ୍ଦରୀକୁ ଖୋଜିବାକୁ ଚନ୍ଦକାରୁ ଆସିଛି କୁମକୀ ହାତୀ ଯୋଶଦା । ରବିବାର ସକାଳୁ ମଝିପଡା ଜଙ୍ଗଲକୁ ଯାଇଥିଲା କୁମକୀ ହାତୀ ଯଶୋଦା । ଅପରେସନ ସୁନ୍ଦରୀର ପ୍ରଥମ ଦିନରେ ଯଶୋଦାକୁ ଜଙ୍ଗଲ ମଧ୍ୟରେ ବାଘ ସହ ସାମ୍ନାସାମ୍ନିର ତାଲିମ ଦିଆଯାଇଥିଲା । ପରେ ଟ୍ରାଙ୍କୁଲାଇଜର ଟିମ୍ ଯଶୋଦା ପିଠିରେ ବସି ବାହାରିଥିଲେ ସୁନ୍ଦରୀ ସନ୍ଧାନରେ । ଆଉ କଦଳୀଖୋଲା ଜଙ୍ଗଲରେ ଦେଖାଦେଇଥିଲା ବାଘୁଣୀ । ତେବେ ଟ୍ରାଙ୍କୁଲାଇଜର ଟିମର ନିଶାନାରୁ ପୁଣିଥରେ ବର୍ତିଯାଇଛି ସୁନ୍ଦରୀ ।

ବାଘକୁ ନିଶ୍ଚେତକ ଦେବା ପାଇଁ ବିଶେଷଜ୍ଞ ମାନେ ହାତୀର ସାହାରା ନେଇଥାନ୍ତି । ଏହାର କାରଣ ହେଉଛି, ଘଂଚ ଜଙ୍ଗଲ ଭିତରେ ବାଘ ପାଖକୁ କେବଳ ହାତୀ ହିଁ ନେଇପାରିବ । ଏବଂ ହାତୀ ପିଠି ଏକ ଉଚ୍ଚସ୍ଥାନ ହୋଇଥିବାରୁ ବାଘକୁ ଦେଖିବା ମଧ୍ୟ ସହଜ ହୋଇଥାଏ । ଏହାଛଡା ବାଘ ସହ ସାମ୍ନାସାମ୍ନି ହେଲେ ମଧ୍ୟ ବାଘ ହାତୀକୁ ଏତେଶୀଘ୍ର ଆକ୍ରମଣ କରେନାହିଁ । ହାତୀ ପିଠିରେ ବସିଥିବା ବ୍ୟକ୍ତି ମଧ୍ୟ ଯଥେଷ୍ଟ ନିରାପଦ ରହନ୍ତି । ଏସବୁ କାରଣରୁ ସୁନ୍ଦରୀକୁ ନିଶ୍ଚେତକ ଦେବା ପାଇଁ ଯଶୋଦା ହାତୀକୁ ଅଣାଯାଇଛି ।

ସୁନ୍ଦରୀକୁ ଧରିବାକୁ ଜଙ୍ଗଲରେ ଡେରା ପକାଇଛନ୍ତି ବନ ବିଭାଗ, ଟ୍ରାଙ୍କୁଲାଇଜର ଟିମ୍ ଓ ମଧ୍ୟପ୍ରଦେଶର ଦୁଇଟି ବିଶେଷଜ୍ଞ ଟିମ୍ । ହେଲେ ଗାଁରେ ବାଘୁଣୀର ଆତଙ୍କ ଲାଗି ରହିଛି । କାରଣ, ସୁନ୍ଦରୀ କେତେବେଳେ ଗାଁ ପାଖକୁ ଚାଲିଆସିବ, ତାହା କହିହେବନାହିଁ । ବାଘୁଣୀକୁ ନିଶ୍ଚେତକ ଦେବା ପାଇଁ ବିଶେଷଜ୍ଞ ଦଳ ହାତୀ ପିଠିରେ ବସି ଆପରେସନ୍ ଆରମ୍ଭ କରିଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ବିଫଳ ହୋଇଥିବା ବେଳେ ଖୁବଶୀଘ୍ର ବାଘୁଣୀ ଧରାଦେବ ବୋଲି ଆଶା କରାଯାଉଛି ।