କଟକର ଏସସିବିରୁ ଗ୍ୟାଙ୍ଗଷ୍ଟାର୍ ହାଇଦର ଫେରାର୍ ଘଟଣା : ୪ ଟି ଟିମ୍ ଗଠନ କରି ତଦନ୍ତ ଚାଲିଥିବା କହିଲେ ପୁଲିସ୍ କମିଶନର

100

କନକ ବ୍ୟୁରୋ : କଟକ ବଡ଼ ମେଡ଼ିକାଲରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୁଲିସ୍ । କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧିକ ସାମ୍ରାଜ୍ୟ ସହ ସଂପୃକ୍ତ ଥିବା ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂପୁର, ଯାଜପୁରର ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱର ଏସପି ଓ ମୟୁରଭଞ୍ଜ ଏସ୍ପିଙ୍କୁ ଖବର ଦିଆଯାଇଛି । କାରଣ, ପଶ୍ଚିମବଙ୍ଗ ସୀମା ଦେଇ ଖସିବାର ଉଦ୍ୟମ କରିବାର ଆଶଙ୍କା ଥିବାରୁ ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ।

ଫଟୋ ସର୍କୁଟେଲ କରି ହାଇଦରକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍ । ସେହିପରି ଗ୍ୟାଙ୍ଗଷ୍ଟାର ହାଇଦରର ପୁରୁଣା ଲିଙ୍କ୍ ଓ ନୂଆ ଲିଙ୍କ୍ ସହ ଯୋଗାଯୋଗ କରି ତାକୁ ଧରିବାକୁ ଉଦ୍ୟମ କରୁଛି ପୁଲିସ୍ । ବର୍ତମାନ ସମୟରେ ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠି ଠାବ କରାଯିବ ତାକୁ ପ୍ରାଥମିକତା ଦେଇ ଖୋଳତାଳ ଆରମ୍ଭ କରିଛି ପୁଲିସ୍ ।

ଫେରାର୍ ଗ୍ୟାଙ୍ଗଷ୍ଟାରକୁ ଖୋଜିବା ପାଇଁ ପୁଲିସ୍ର ବଡ଼ଧରଣର ଅପରେସନ୍ ଭିତରେ କେମିତି ହୋଇଥିବା ଷଡ଼ଯନ୍ତ୍ରର ନକ୍ସ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବାରିମୂଳ ଉପକାରାଗାରରୁ ଚୌଦ୍ୱାର ଜେଲ ଦେଇ ସମ୍ବଲପୁରରେ ପହଂଚିଥିବା ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଭିତରେ କେଉଁଠି ହୋଇଥିଲା ଷଡ଼ଯନ୍ତ୍ର । ଜେଲରୁ ହୋଇଥିଲା କି ଷଡ଼ଯନ୍ତ୍ର । ଜେଲରୁ ବାରମ୍ବାର ହସ୍ପିଟାଲ ଯିବା ଏବଂ ବୁର୍ଲାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିବା ଭିତରେ କ’ଣ ଥିଲା ସ୍ୱାସ୍ଥ୍ୟଗତ କାରଣ? କେଉଁ ରୋଗ ଏବଂ କେଉଁ ସମସ୍ୟାରେ ହାଇଦରକୁ ଭିମ୍ସାର ବୁର୍ଲାରୁ କଟକ ବଡ଼ ମେଡ଼ିକାଲକୁ କାହିଁକି ସ୍ଥାନାନ୍ତର କରାଯାଇଥିଲା? କୁଖ୍ୟାତ ଅପରାଧୀକୁ ଜଗିବା ପାଇଁ କେମିତି ଜଣେ ସୁରକ୍ଷାକର୍ମୀଙ୍କ ହାତରେ ଛାଡ଼ି ଦିଆଯାଇଥିଲା ତାକୁ ନେଇ ବି ପ୍ରଶ୍ନ ଉଠିଛି ।