କନକ ବ୍ୟୁରୋ: ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ସିବନି ଅଞ୍ଚଳରେ । ଅନଲାଇନରେ ବର କନ୍ୟାଙ୍କ ବାହାଘର କରାଇ ବ୍ରାହ୍ମଣ ନେଲେ ଲକ୍ଷାଧିକ ଟଙ୍କା ଦକ୍ଷିଣା । ସିବନିରେ ବ୍ରାହ୍ମଣ ଏବଂ ସୁଦୂର ଆମେରିକାରେ ବର - କନ୍ୟା ।ଲାପଟପରେ ଅନଲାଇନ୍ ବାହାଘର । ମେ ୨୧ ତାରିଖରେ ହୋଇଥିବା ଏପରି ବାହାଘର ପୁରୋହିତଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ ଅନୁଭୂତି । ବର- ବଧୂ ଆମେରିକାରେ ବିବାହ ମଣ୍ଡପରେ ବସିଥିଲେ ଏବଂ ସିବନୀରେ ଥିଲେ ପୁରୋହିତ । ଲାପଟପରେ ହୋଇଥିଲା ମନ୍ତ୍ର ଉଚ୍ଚାରଣ ଓ ସବୁ ହିନ୍ଦୁ ରୀତିନୀତି ସମ୍ପନ୍ନ । ପଣ୍ଡିତଙ୍କ ମନ୍ତ୍ର ସହ ହାତ ଗଣ୍ଠି ପଡିବା ଠାରୁ ଆରମ୍ଭ କରି ସାତ ଫେରା ମଧ୍ୟ ନେଇଥିଲେ ବରକନ୍ୟା ।

Advertisment

କଥା ହେଉଛି ସିବନିର ବାରାପଥର ବାସିନ୍ଦା ସୁନୀଲ ଉପାଧ୍ୟାୟଙ୍କ ପୁଅ ଦେବାଂଶ ଉପାଧ୍ୟାୟ ସାତ ଦରିଆ ପାରି ଆମେରିକାରେ ଚାକିରୀ କରନ୍ତି । ସେଠାରେ ତାଙ୍କର ସାକ୍ଷାତ ହୋଇଥିଲା ପୁଣେର ଝିଅ ସୁପ୍ରିୟାଙ୍କ ସହ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆଉ ତା’ ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଦୁହେଁ ପରସ୍ପରର ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଦୁହେଁ ଆମେରିକାରେ ଚାକିରୀ କରୁଥିବାରୁ ବିବାହ ପାଇଁ ଭାରତ ଆସିବାକୁ ଛୁଟି ପାଇନଥିଲେ । ଏକଥା ଜାଣିବା ପରେ ବ୍ୟସ୍ତ ହୋଇପଡିଥିଲେ ଦେବାଂଶଙ୍କ ପରିବାର । ଏଠାରେ ସୁପ୍ରିୟାଙ୍କ ଘର ଲୋକଙ୍କୁ ମଧ୍ୟ ବିବାହ ଚିନ୍ତା ଘାରିଥିଲା । ହେଲେ ସେମାନଙ୍କୁ ସହଯୋଗ କରିବାକୁ ରାଜି ହୋଇଥିଲେ ପଣ୍ଡିତ ରାଜେନ୍ଦ୍ର ପାଣ୍ଡେ । ଏଭଳି ସ୍ଥଳେ ଉପାଧ୍ୟାୟ ପରିବାର ଯାଇ ଆମେରିକାରେ ପହଞ୍ଚିଥିବାବେଳେ ସୁପ୍ରିୟାଙ୍କ ପରିବାର ଲୋକେ ଭାରତରେ ରହି ପୁରୋହିିତଙ୍କ ଆତିଥ୍ୟ କରିଥିଲେ ।

ଲାପଟପରେ ପୁରୋହିତ ବତାଉଥିବା ସବୁ ନିର୍ଦ୍ଦେଶାବଳୀକୁ ମାନି ରୀତି ପୂରଣ କରୁଥିଲେ ବର - ବଧୂ । ଏଭଳି ସମସ୍ତ ହିନ୍ଦୁ ରୀତିନୀତିକୁ ସମ୍ପନ୍ନ କରିଥିଲେ ପୁରୋହିତ । ଏଭଳି ଅନଲାଇନ୍ ବାହାଘର କରାଇବା ପୁରୋହିତ ରାଜେନ୍ଦ୍ର ପାଣ୍ଡେଙ୍କ ପାଇଁ ପୁରା ନୂଆ ଅନୁଭୂତି ଥିଲା । ଏଥିପାଇଁ ତାଙ୍କୁ ଉପାଧ୍ୟାୟ ପରିବାର ପକ୍ଷରୁ ମୋଟା ଅଙ୍କର ଦକ୍ଷିଣା ମିଳିଥିଲା । ତାଙ୍କୁ ୫୧୦୦ ଆମେରିକୀୟ ଡଲାର ଦକ୍ଷିଣା ମିଳିଥିଲା, ଯାହା ଭାରତୀୟ ମୂଲ୍ୟରେ ୪ ଲକ୍ଷ ୨୦ ହଜାର ଟଙ୍କା ହେବ । ତେବେ ଏପରି ଏକ ବିବାହକୁ ନେଇ ଉଭୟ ପରିବାର ବେଶ୍ ଖୁସି ଥିବାବେଳେ ଏଭଳି ବାହାଘର ଚର୍ଚ୍ଚାକୁ ଆସିଛି । ଆଗକୁ ଦେବାଂଶ ଓ ସୁପ୍ରିୟାଙ୍କ ଭଳି ବିଦେଶ ମାଟିରେ ରହୁଥିବା ଯୁବକ ଯୁବତୀମାନେ ଏଭଳି ଢଙ୍ଗରେ ନିଜ ସଂସ୍କୃତିକୁ ବଞ୍ଚାଇରଖିପାରିବେ ବୋଲି ଦୁଇ ପରିବାର ପକ୍ଷରୁ କୁହାଯାଇଛି ।

କେବଳ ବାହାଘର ନୁହେଁ ଆଜିକାଲି ଡିିଡିଟାଲ ଯୁଗରେ ଅଧିକାଂଶ କାର୍ଯ୍ୟ ଅନଲାଇନରେ ହିଁ ସମ୍ପନ୍ନ ହେଉଛି । ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଓ ପିଲାମାନଙ୍କ ପାଠପଢା ସବୁକିଛି ଅନଲାଇନରେ ହିଁ ଚାଲିଛି । କେବଳ ଏତିକି ନୁହେଁ କିଛି କ୍ଷେତ୍ରରେ ଅନଲାଇନରେ ମନ୍ତ୍ର ପଢି ରୋଗୀକୁ ଝଡାଫୁଙ୍କା କରାଯାଉଥିବା ଖବର ମଧ୍ୟ ଶୁଣିବାକୁ ମିଳିଛି ।