ଖାଉଟିଙ୍କ ପାଇଁ ଆଶ୍ୱସ୍ତିର ଖବର: ବ୍ୟବସାୟୀ ସଂଘ କହିଲା, ଇଜିପ୍ଟରୁ ଆମଦାନୀ ହୋଇଛି ଏକ ଲକ୍ଷ କ୍ୱିଂଟାଲରୁ ଅଧିକ ପିଆଜ; ଆଗକୁ କମିପାରେ ଦର

ବଜାରକୁ ଆସିବା ପରେ ନିୟନ୍ତ୍ରଣ ହେବ ଦର

894

କନକ ବ୍ୟୁରୋ: ଆଗକୁ କମିପାରେ ପିଆଜ ଦର । ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଇଜିପ୍ଟରୁ ସରକାର ଆମଦାନୀ କରିଛନ୍ତି ପ୍ରାୟ ଏକ ଲକ୍ଷ ୨୦ ହଜାର ଟନ୍ ପିଆଜ । ଏହା ଗତକାଲି ଦେଶରେ ପହଂଚି ସାରିଥିବା ବେଳେ ଖୁବ୍ ଶୀଘ୍ର ସାରା ଦେଶର ବଜାରରେ ଏହା ମିଳିବ । ଫଳରେ ଶହେ ଟଙ୍କା ଛୁଇଁ ଥିବା ପିଆଜର ଦର କମିବ ବୋଲି ଆଶା କରିଛି ବ୍ୟବସାୟୀ ମହାସଂଘ । ଗତମାସର ଅନିୟମିତ ବର୍ଷା ଫଳରେ ଦେଶରେ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଥିଲା । ତେଣୁ ବଜାରରେ ପିଆଜର ଅଭାବ ସୃଷ୍ଟି ହୋଇଥିଲା । ବାଙ୍ଗାଲୁର, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରର କର୍ନୁଲରୁ ଓଡିଶାକୁ ମୁଖ୍ୟତଃ ପିଆଜ ଆସିଥାଏ ।

ହେଲେ ଏଥର ଅନିୟମିତ ବର୍ଷା ପିଆଜ ଉତ୍ପାଦକୁ ବେଶ୍ କମାଇ ଦେଇଛି । ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ନୂଆ ପିଆଜ ଉତ୍ପାଦ ହୋଇଯିବ, ଫଳରେ ଆଉ ପିଆଜର ଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି । ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ୯୦ରୁ ଅଧିକ ରହିଛି । ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଖାଉଟି । ଓଡିଶାରେ ଦୈନିକ ପ୍ରାୟ ୬ଶହରୁ ୭ଶହ ଟନ୍ ଅର୍ଥାତ ୬ଲକ୍ଷରୁ ୭ ଲକ୍ଷ କିଲୋଗ୍ରାମ ଯାଏଁ ପିଆଜ ବିକ୍ରି ହୋଇଯାଏ । ଏବେ ମାତ୍ର ୨ରୁ ଅଢେଇ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହେଉଛି ବୋଲି ଜଣାପଡିଛି ।