ଚର୍ଚ୍ଚାରେ ଦୁଇ ସରପଞ୍ଚ । ଜଣେ ପାଣି ଦେବାକୁ କହି ପ୍ରତିଶ୍ରୁତି ରଖିଲେ, ଆଉ ଜଣେ ଦୁର୍ନୀତି ରୋକିବାକୁ ମୋବାଇଲ ନମ୍ବର ଜାରି କଲେ…

274

କନକ ବ୍ୟୁରୋ: କଥା ଦେଇ କଥା ରଖିଲେ ମହିଳା ସରପଞ୍ଚ । ନିର୍ବାଚନ ପୂର୍ବରୁ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଜିତିଲା ପରେ ସେହି ପ୍ରତିଶ୍ରୁତି ପାଳନ କରୁଛନ୍ତି । ଟ୍ୟାଙ୍କର ଧରି ଘର ଆଗରେ ପହଞ୍ଚିଛନ୍ତି କୋରାପୁଟ ଜିଲ୍ଲା ଶଶାହାଣ୍ଡି ପଞ୍ଚାୟତର ସରପଞ୍ଚ ପଦ୍ମିନୀ ମାଝି ।

ଶଶାହାଣ୍ଡି ପଞ୍ଚାୟତର ବାମୁଣିଆଗୁଡ଼ା, ବୈରାଗିପଦର ଗାଁରେ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନର । ନିର୍ବାଚନ ଆସୁଥିଲା ଯାଉଥିଲା, ଅନେକ ପ୍ରତିଶ୍ରୁତି ମିଳୁଥିଲା, କିନ୍ତୁ ପାଣି ସମସ୍ୟାର ସମାଧାନ ହେଉନଥିଲା । ଏଥର ନିର୍ବାଚନରେ ଲୋକ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ପଦ୍ମିନୀ ମାଝିଙ୍କୁ ବାଛିଲେ । ଆଉ ଲୋକଙ୍କ ଲୋକଙ୍କ ଭରସା ଜିତିଥିବା ସରପଞ୍ଚ ଏବେ ୪ ଶହ ପରିବାରର ଶୋଷ ମେଣ୍ଟାଇବାକୁ ଚେଷ୍ଟା କରିଛନ୍ତି ।

  • ଦୁର୍ନୀତି ରୋକିବାକୁ ମୋବାଇଲ ନମ୍ବର ଜାରି
  • ଚର୍ଚ୍ଚାରେ ମୁକୁନ୍ଦପୁରର ମହିଳା ସରପଞ୍ଚ

ଭଦ୍ରକ ଜିଲ୍ଲା ମୁକୁନ୍ଦପୁର ପଞ୍ଚାୟତରେ ଦୁର୍ନୀତି ରୋକିବାକୁ ମୋବାଇଲ ନମ୍ବର ଜାରି କରି ଚର୍ଚ୍ଚାରେ ଅଛନ୍ତି ନବ ନିର୍ବାଚିତ ସରପଞ୍ଚ ସସ୍ମିତା ମଲ୍ଲିକ । ସାଧାରଣ ଗରିବ ଲୋକଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ମେଡିକାଲ, ଥାନା, ବ୍ଲକ, ପଞ୍ଚାୟତର ଫୋନ ନମ୍ବର ଥିବା ପୋଷ୍ଟର ବିଭିନ୍ନ ସାହିରେ ମାରିଛନ୍ତି । ଏହି ପଦକ୍ଷେପ ଦୁର୍ନୀତି ରୋକିବାରେ ସହାୟକ ହେବ ବୋଲି କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିବା ସରପଞ୍ଚ ସସ୍ମିତା ମଲ୍ଲିକ ।

କୋରାପୁଟ ଓ ଭଦ୍ରକରୁ ଆସିଥିବା ଦୁଇ ମହିଳା ସରପଞ୍ଚଙ୍କ ଏହି ଖବର ନେତାଙ୍କୁ ନେଇ ଲୋକଙ୍କ ମନରେ ଥିବା ଧାରଣା ବଦଳେଇ ଦେବ । ନିର୍ବାଚନ ପରେ ଦେଖା ଦେଉନଥିବା ନେତା ଏବେ ଲୋକଙ୍କ ସମସ୍ୟା ଦୂର କରିବାକୁ ଲୋକଙ୍କ ପାଖକୁ ଆସୁଛନ୍ତି ।