କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ସରକାର ଏହାକୁ ଲାଗୁ କରିବାକୁ ତତ୍ପରତା ଦେଖାଇଛନ୍ତି । ଏନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ମଧ୍ୟ କରାଯାଇଛି । ହେଲେ ବିରୋଧୀଦଳ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ଏହି କମିଟିରେ ଲୋକସଭାର ବିରୋଧୀଦଳ ନେତା ଅଧୀର ରଂଚନ ଚୌଧୁରୀଙ୍କ ନାମ ଥିବା ବେଳେ ସେ ଏହାକୁ ଆଗ୍ରାହ୍ୟ କରିଛନ୍ତି । ସେପଟେ ରାହୁଲ ଗାନ୍ଧୀଙ୍କ ପରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ।

Advertisment

ରବିବାର ଦିନ ଭିବାନୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉଠାଇ ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ଯିବାକୁ ଚାହୁଁଛି । ଏଥିରୁ ଲୋକଙ୍କୁ କିଛି ଫାଇଦା ମିଳିବାର ନାହିଁ । ତେଣୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ କଥାକୁ ବାଦ ଦେଇ ସରକାର ତୁରନ୍ତ ଗୋଟିଏ ଦେଶ ଗୋଟିଏ ଶିକ୍ଷାନୀତି ପ୍ରଚଳନ କରନ୍ତୁ । ଯାହାଦ୍ୱାରା ଆଦାନୀ ଓ ଆମ୍ବାନୀ ଭଳି ପୁଞ୍ଜିପତିଙ୍କ ପିଲାଙ୍କୁ ଯେଉଁ ଶ୍ରେଣୀର ଶିକ୍ଷା ମିଳୁଛି ସାଧାରଣ ଲୋକଙ୍କର ପିଲାଙ୍କୁ ମଧ୍ୟ ସମାନ ଶ୍ରେଣୀର ଶିକ୍ଷା ମିଳିପାରିବ ।

କେବଳ ସେତିକି ନୁହେଁ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଠାରେ ଗୋଟିଏ ଦେଶ ଗୋଟିଏ ଚିକିତ୍ସା ପାଇଁ ମଧ୍ୟ ଦାବି କରିଛନ୍ତି । ଏହା ଫଳରେ ଶ୍ରମିକ ଠାରୁ ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତଙ୍କୁ ସମାନ ସ୍ତରର ଚିକିତ୍ସା ମିଳିପାରିବ ।