କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ କେନ୍ଦ୍ର ସରକାର । କମିଟି ଗଠନ କଲେ କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ରହିବେ । ହେଲେ କମିଟିର କିଏ କିଏ ସଦସ୍ୟ ରହିବେ, ସେନେଇ ଖୁବ୍ ଶୀଘ୍ର ନାଁ ପ୍ରକାଶ କରାଯିବ । ଏହି କମିଟି ବିଭିନ୍ନ ଦିଗକୁ ନେଇ ତର୍ଜନା କରିବ । ଏହା ପରେ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ସେପଟେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଘୋର ବିରୋଧ କରୁଛନ୍ତି ବିରୋଧୀ । ବହୁଦଳୀୟ ଗଣତନ୍ତ୍ରରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା କଷ୍ଟସାଧ୍ୟ କହି ବିରୋଧୀ ଦଳ ସରକାରଙ୍କ ଏହି ନିଷ୍ପତିକୁ ତ୍ରୀବ ସମାଲୋଚନା କରିଛନ୍ତି ।
ସମ୍ବିଧାନର ଧାରା ୮୫ ଅନୁସାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ପାରିବେ କେନ୍ଦ୍ର ସରକାର । ସଂସଦୀୟ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିର ଅନୁମୋଦନ ପରେ ରାଷ୍ଟ୍ରପତିଙ୍କ ମୋହର ବାଜିଲେ ବସିପାରିବ ସ୍ୱତନ୍ତ୍ର ଅଧିବେଶନ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଡକାଯାଇଥାଏ ସ୍ୱତନ୍ତ୍ର ଅଧିବେଶନ । କାହିଁକି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଗଲା ତାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା କରାଯାଉଛି ।

Advertisment

ସ୍ୱତନ୍ତ୍ର ଅଧିବେଶନକୁ ନେଇ ସସ୍ପେନ୍ସ
-ଇଣ୍ଡିଆ ମେଂଟ ଜରିଆରେ ବିରୋଧୀ ବଳ ଗୋଟାଉ ଥିବାରୁ ସରକାରକୁ ଭାଙ୍ଗିଦେଇ ଆଗୁଆ ନିର୍ବାଚନକୁ ଯାଇପାରନ୍ତି ମୋଦୀ ସରକାର
-ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଆଣି ଭୋଟରଙ୍କୁ ପ୍ରଭାବିତ କରିପାରନ୍ତି କେନ୍ଦ୍ର ସରକାର
-ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଜି-୨୦ ବୈଠକ ପରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବାଟ ଖୋଲିବାକୁ ପ୍ରୟାସ କରିପାରନ୍ତି

ସେପ୍ଟେମ୍ବର ୧୮ ରୁ ୨୨ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ୫ଟି ବୈଠକ ହେବ । ୧୦ରୁ ଅଧିକ ବିଲ୍ ଆସିବ ତେଣୁ ଏହାକୁ ସ୍ୱତନ୍ତ୍ର ଅଧିବେଶନ ବୋଲି କୁହାଯାଉଛି । ଲୋକସଭା ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ ପାସ ହେଲେ ଲୋକସଭା ଓ ସମସ୍ତ ରାଜ୍ୟରେ ବିଧାନସଭା ଏକାସାଙ୍ଗରେ ହେବ । ୨୦୧୪ ପ୍ରଧାନମନ୍ତ୍ରୀ ମୋଦୀ ସରକାରକୁ ଆସିବା ପରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢିଆସୁଛନ୍ତି । ଏପରିକି ବିଜେପି ନିର୍ବାଚନ ଇସ୍ତାହାରେ ମଧ୍ୟ ଏହାକୁ ସ୍ଥାନ ଦେଇଥିଲା ।