କନକ ବ୍ୟୁରୋ : କେନ୍ଦ୍ର ସରକାର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପରେ ଏହାର କାରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି । କେହି କେହି ଏହି ଅଧିବେଶନ କିଛି ବିଧେୟକ ଉପସ୍ଥାପନ କରିବାକୁ କେନ୍ଦ୍ର ସରକାର ଡାକିଥାଇପାରନ୍ତି ବୋଲି କହୁଥିବା ବେଳେ କେହି କେହି ଆଦାନୀ ପ୍ରସଙ୍ଗ ଓ ବିରୋଧୀଙ୍କ ମେଣ୍ଟକୁ ଲୋକଲୋଚନରୁ ହଟାଇବାକୁ ସରକାର ଏଭଳି ସ୍ୱତନ୍ତ୍ର ଅଧିବେଶନ ଡାକିଥାଇପାରନ୍ତି ବୋଲି ଆକଳନ କରୁଛନ୍ତି । ହେଲେ ସବୁଠାରୁ ବଡକଥା ହେଉଛି କି, ଗତକାଲି ସ୍ୱତନ୍ତ୍ର ଅଧିବେଶନ ପାଇଁ ତାରିଖ ଘୋଷଣା ହେବା ପରେ ଏହି ଅଧିବେଶନରେ କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଣିପାରନ୍ତି ବୋଲି ସବୁଠାରୁ ଅଧିକ ଚର୍ଚ୍ଚା ଚାଲିଛି । ଏସବୁ ଉପରେ ବିରାମ ଲଗାଇ କେନ୍ଦ୍ର ସରକାର ଏନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ଘୋଷଣା କରାଯାଇଛି । ଏହି କମିଟି ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ କାମ ଆରମ୍ଭ କରିବ ।

Advertisment

ଯଦି ଆମେ ବିଶ୍ୱ ଇତିହାସକୁ ନଜର ପକାଇବା ତେବେ ବିଶ୍ୱରେ ଏଭଳି କିଛି ଦେଶ ରହିଛି ଯେଉଁଠି ଏକା ସାଥୀରେ ସମସ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଦକ୍ଷିଣ ଆଫ୍ରିକାରେ ସଂସଦ, ବିଧାନସଭା ଓ ନଗରପାଳିକା ନିର୍ବାଚନ ଏକାସାଥୀରେ କରାଯାଇଥାଏ । ସେହିଭଳି ସ୍ୱିଡେନରେ ମଧ୍ୟ ପ୍ରତି ୪ବର୍ଷରେ ଥରେ ସାଧାରଣ ନିର୍ବାଚନ ସହ ମ୍ୟୁନିସପାଲିଟି ନିର୍ବାଚନ ଏକାସାଥୀରେ ହୋଇଥାଏ । ଅନ୍ୟପଟେ ବେଲଜିୟମରେ ମଧ୍ୟ ୫ପ୍ରକାରର ନିର୍ବାଚନ ହୋଇଥାଏ । ପ୍ରତି ୫ ବର୍ଷରେ ସମସ୍ତ ନିର୍ବାଚନ ଏକାସାଥୀରେ କରାଯାଇଥାଏ । ୟୁକେରେ ମଧ୍ୟ ହାଉସ ଅଫ୍ କମନ୍ସ, ସ୍ଥାନୀୟ ନିର୍ବାଚନ ଓ ମେୟର ନିର୍ବାଚନ ଏକାସାଥୀରେ ହୋଇଥାଏ ।

ଇଣ୍ଡୋନେସିଆରେ ରାଷ୍ଟ୍ରପତି ଓ ଲେଜିସଲେଟିଭ୍ ନିର୍ବାଚନ ଏକାସାଥୀରେ କରାଯାଇଥାଏ । ଏହା ବ୍ୟତୀତ ଜର୍ମାନୀ, ଫିଲିପାଇନ୍ସ, ବ୍ରାଜିଲ, ବଲଭିୟା, କଲମ୍ବିୟା, କୋଷ୍ଟ ରିକା, ଗୁଏତମାଳା, ଗୁଆନା, ହଣ୍ଡୁରସ ଭଳି ଦେଶରେ ସମସ୍ତ ନିର୍ବାଚନ ଏକାସାଥୀରେ ମଧ୍ୟ କରାଯାଇଥାଏ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ବି ଗୋଟିଏ ସମୟରେ ସମସ୍ତ ନିର୍ବାଚନ ଅନୁଷ୍ଠିତ ହେଉଥିଲା । ସ୍ୱାଧୀନତା ପରେ ୧୯୫୧-୫୨ ମସିହାରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ଅନୁଷ୍ଠିତ ହୋଇଥିଲା । ଏହାପରେ ୧୯୫୭, ୧୯୬୨ ଓ ୧୯୬୭ ମସିହାରେ ବି ଲୋକସଭା ଓ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ କରାଯାଇଥିଲା ।

ପ୍ରଥମଥର ପାଇଁ ୧୯୯୯ ମସିହାରେ ଆଇନ କମିଶନ ନିଜ ରିପୋର୍ଟରେ ଗୋଟିଏ ସମୟରେ ସମସ୍ତ ନିର୍ବାଚନ କରିବାକୁ ସୁପାରିଶ କରିଥିଲେ । ଏହାପରେ ୨୦୧୫ ମସିହାରେ ବି ସଂସଦୀୟ ସମିତି ଏଭଳି ପରାମର୍ଶ ଦେଇଥିଲେ ।