ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା : ଫୁଟେ ଜାଗା ପାଇଁ ଗଲା ଜୀବନ, ୨ ଜଣ ଗୁରୁତର

157

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଉଭୟ ପରିବାର ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନାଅନୁସାରେ ବଡ଼ହିଂସର ଗାଁର ନବିନା ସାହୁ ଓ ରଘୁନାଥ ସାହୁ ଙ୍କ ପରିବାର ମଧ୍ୟରେ ଗୋଟିଏ ଫୁଟ ଜାଗା ପାଇଁ ଅନେକ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି ।

ତେବେ ଆଜି ସକାଳୁ ଏହି ଜାଗା ପାଇଁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ବାଡ଼ି ଓ ଟାଙ୍ଗିଆରେ ମଧ୍ୟ ଆକ୍ରମଣ କରାଯାଇଥିଲା । ତେବେ ରଘୁନାଥଙ୍କ ପରିବାର ପକ୍ଷରୁ ଟାଙ୍ଗିଆ ଆକ୍ରମଣରେ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଗୁରୁତର ହୋଇଥିଲେ । ସେଇଭଳି ନବିନା ସାହୁଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ ରଘୁନାଥଙ୍କ ପୁଅ ବାପି ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ଆଶାନ୍ତି ଓ ବାପିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଖବର ପାଇ ଜରପଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।