ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା : ସିସିଟିଭି ଆଧାରରେ ଅଭିଯୁକ୍ତକୁ ଖୋର୍ଦ୍ଧାରୁ ଧରିଲା ପୁଲିସ; ଏକୁଟିଆ କେମିତି ଭାଙ୍ଗିଲେ ୪୦ରୁ ଅଧିକ ଚୁଲି, ଉଠିଲା ପ୍ରଶ୍ନ

171

କନକ ବ୍ୟୁରୋ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁରୀ ପୁଲିସ । ଖାଦ୍ୟ ଏଣେତେଣେ ପଡିଥିଲା, ତେଣୁ ରାଗରେ ଚୁଲି ଭାଙ୍ଗିଦେଇଥଲର ବୋଲି ଅଟକ ବ୍ୟକ୍ତି ପୁଲିସକୁ କହିଥିବା ସୂଚନା ରହିଛି । ସିସିଟିଭି ଆଧାରରେ ଖୋର୍ଦ୍ଧା ଜିଲ୍ଲାରୁ ଅଭିଯୁକ୍ତକୁ ଧରିଛି ପୁଲିସ । ପୁରୀ ପୁଲିସ ଟ୍ୱିଟ କରି ଏହି ସୂଚନା ଦେଇଛି ।

ଶନିବାର ରାତିରେ ଶ୍ରୀମନ୍ଦିର ରୋଷଘରକୁ ଭଙ୍ଗାଯାଇଥିଲା । ଏହାକୁ ନେଇ ରବିବାର ଦିନ ନୀତିରେ ବିଳମ୍ବ ହେବା ସହ ଭକ୍ତ ମହାପ୍ରସାଦ ପାଇବାରେ ସମସ୍ୟା ଦେଖାଦେଇଥିଲା । ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାର ପୁଲିସ ତଦନ୍ତ କରୁଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

ସିସିଟିଭିରୁ ଜଣାପଡୁଛି, ଧଳାସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ପୋଷାକଟି ରୋଷଘର ହଳଦୀ ଲାଗି ସଂପୂର୍ଣ୍ଣ ହଳଦିଆ ହୋଇଯାଇଥିବାବେଳେ ରୋଷଘରୁ ବାହାରି ମୁଦୁଲି ଦ୍ୱାର ଦେଇ ନାଟ ମଣ୍ଡପକୁ ପ୍ରବେଶ କରୁଛନ୍ତି । ରାତି ପ୍ରାୟ ଗୋଟାଏ ୧୫ରେ ଧୋପଖାଳ ସେବାୟତ ଚୁଲି ଭଙ୍ଗା ନେଇ ଶ୍ରୀମନ୍ଦିର ଗାରଦରେ ଅଭିଯୋଗ କରିଥିଲେ । ହେଲେ ରାତି ଗୋଟାଏ ୨୫ରେ ଶ୍ରୀମନ୍ଦିର ଶୋଧ କରୁଥିବା ୪ ଜେଟିପି ସେହି ବ୍ୟକ୍ତିଙ୍କୁ ଧରି ସିଂହଦ୍ୱାର ବାହାରେ ଛାଡି ଦେଇଥିଲେ ।