କନକ ବ୍ୟୁରୋ: କେନ୍ଦ୍ର ସରକାର ଅଚାନକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପଛର କାରଣ କଣ? ଏହାକୁ ନେଇ ଦେଶର ରାଜନୀତି ଉଷ୍ମ ହୋଇଛି । ଚର୍ଚ୍ଚା ହେଉଛି, ୱାନ ନେସନ ୱାନ୍ ଇଲେକ୍ସନ ବିଲ ସମେତ ଆଉ କେତେକ ବିଲ୍ ଓ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଏହି ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ତେବେ ଆଲୋଚନା ଭିତରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କରିଛନ୍ତି ସରକାର । ଅନ୍ୟପଟେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ବୟାନବାଜି ।

Advertisment
  • ଦେଶରେ ହେବ ଏକକ ନିର୍ବାଚନ!
  • କମିଟି ଗଠନ କଲେ କେନ୍ଦ୍ର ସରକାର

ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାର ଦିନକ ପରେ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ରହିବେ । ହେଲେ କମିଟିର କିଏ କିଏ ସଦସ୍ୟ ରହିବେ, ସେନେଇ ଖୁବଶୀଘ୍ର ନାଁ ପ୍ରକାଶ କରାଯିବ । ଏହି କମିଟି ବିଭିନ୍ନ ଦିଗକୁ ନେଇ ତର୍ଜମା କରିବ । କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ସୂଚନା ଅନୁସାରେ ଯେଉଁ ଦଳର ୫ଜଣ ସାଂସଦ ଅଛନ୍ତି ସେହି ଦଳର ପ୍ରତିନିଧି ଏହି କମିଟିରେ ରହିବେ । ତେବେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘଦିନ ହେବ ଯୁକ୍ତି ବାଢ଼ି ଆସୁଛନ୍ତି । ସଂସଦରୁ ଆରମ୍ଭ କରି ନିର୍ବାଚନୀ ସଭାରେ, ଏକକ ନିର୍ବାଚନ ସପକ୍ଷରେ ମତ ରଖି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହା ଏତେ ସହଜ ନୁହେଁ । ଏଥିପାଇଁ ସମ୍ବିଧାନର ୫ଟିି ଆର୍ଟିକିଲରେ ସଂଶୋଧନ କରିବାକୁ ପଡିବ ।

ଏକକ ନିର୍ବାଚନ ପାଇଁ କଣ ରହିଛି ସମସ୍ୟା?

  • ଦେଶରେ ଏକକାଳୀନ ନିର୍ବାଚନ କରିବାକୁ କେନ୍ଦ୍ର ସରକାରଙ୍କୁ ଧାରା -୮୩, ୮୫, ୧୭୨, ୧୭୪ ଏବଂ ୩୫୬ରେ ସଂଶୋଧନ କରିବାକୁ ପଡିବ
  • ଲୋକସଭାର ପ୍ରତିନିଧି ୧୫୧ ରେ ମଧ୍ୟ ସଂଶୋଧନ କରିବାକୁ ପଡିବ
  • ସମ୍ବିଧାନର ଧାରା ୩୬୮ ଅନୁଯାୟୀ, ଲୋକସଭା ଓ ରାଜ୍ୟସଭାରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ପଡିବ
  • ୫୦ ପ୍ରତିଶତ ରାଜ୍ୟ ବିଧାନସଭା ଦ୍ୱାରା ବିଧାନସଭା ସଂଶୋଧନ ବିଲ୍ ପାରିତ ହେବା ବାଧ୍ୟତାମୂଳକ

ଏକକ ନିର୍ବାଚନର ଲାଭ କ’ଣ ହେବ?

  • ମଡେଲ ଆଚରଣ ସଂହିତାକୁ ବାରମ୍ବାର ଲାଗୁ କରିବାକୁ ପଡ଼ିବ ନାହିଁ
  • ନୀତିଗତ ନିଷ୍ପତ୍ତି ନେବା ସହଜ ହେବ
  • ରାଜ୍ୟରେ ବାରମ୍ବାର ନିର୍ବାଚନ ହେତୁ ବିକାଶର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ ନାହିଁ
  • ନିର୍ବାଚନ ଖର୍ଚ୍ଚରେ ବହୁତ ହ୍ରାସ ହେବ
  • ସରକାରୀ ତହବିଲ ଉପରେ କୌଣସି ଅତିରିକ୍ତ ବୋଝ ରହିବ ନାହିଁ
  • ଏହା କଳା ଟଙ୍କା ଏବଂ ଦୁର୍ନୀତିକୁ ରୋକିବାରେ ମଧ୍ୟ ସହାୟକ ହେବ
  • ନିର୍ବାଚନ ଡ୍ୟୁଟି ପାଇଁ ସରକାରୀ କର୍ମଚାରୀ ଏବଂ ସୁରକ୍ଷା ବାହିନୀକୁ ବାରମ୍ବାର ନିୟୋଜିତ କରିବାର ଆବଶ୍ୟକତା ରହିବ ନାହିଁ

ଭାରତରେ ପୂର୍ବରୁ ଏକକ ନିର୍ବାଚନ ହେଉଥିଲା । କିନ୍ତୁ ସମୟ କ୍ରମେ ଏହା ବଦଳି ଯାଇଛି । ତେବେ କେନ୍ଦ୍ର ସରକାର ପୁଣି ଥରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ବି ଏହାକୁ ଲାଗୁ କରିବା ଏତେ ସହଜ ହୋଇନପାରେ ।