ସୁଧୁରୁନି ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ପୁଂଚ ସେକ୍ଟରରେ ପାକ୍ ଗୁଳିରେ ୧୦ ବର୍ଷର ନାବାଳକ ମୃତ, ୫ ଆହତ

24

କନକ ବ୍ୟୁରୋ: ସୁଧୁରୁନି ପାକିସ୍ତାନ । ଆଜି ନିୟନ୍ତ୍ରଣରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପୁଂଚର କସବା ଅଂଚଳରେ ପାକିସ୍ତାନ ପଟୁ ଆଖିୁବୁଜା ଗୁଳିଚାଳନାରେ ଜଣେ ୧୦ ବର୍ଷର ନାବାଳକ ପ୍ରାଣ ହରାଇଛି । ଏଥିରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ନିହତ ବାଳକର ନାଁ ଇସ୍ରାର୍ ଅହମଦ୍ ଏବଂ ସେ କାର୍ଣ୍ଣି ସେକ୍ଟରରେ ବାସକରେ । ବାଳିକା ଜଣକ ଦିଗଓ୍ଵାର୍ ସେକ୍ଟରରେ ନିହତ ହୋଇଛି ।

ସୂଚନା ମୁତାବକ, ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ପାର୍ଶ୍ୱ ସୀମାନ୍ତବର୍ତ୍ତୀ ଗାଁଗଣ୍ଡା ଏବଂ ଫରଓ୍ଵାର୍ଡ ପୋଷ୍ଟ୍ଗୁଡ଼ିକ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋଟାର୍ ମାଡ କରିଥିଲା ବୋଲି ପୁଲିସ କହୁଛି । ପାକିସ୍ତାନ ସେନାକୁ ଏହାର ସମୁଚ୍ଚିତ ଜବାବ ଦେଇଛି ଭାରତୀୟ ସେନା । ଖବର ଆସିବା ଯାଏଁ ଉଭୟ ପକ୍ଷରୁ ଗୁଳି ବିନିୟମ ଚାଲିଥିଲା।

ଅଧିକାରୀମାନେ କହନ୍ତି: ପାକିସ୍ତାନୀ ସେନା ଶାହାପୁର, କିର୍ଣ୍ଣି ଏବଂ କସବା ସେକ୍ଟର୍ ଅନ୍ତର୍ଗତ ଡଜନାଧିକ ଗାଁ ଏବଂ ପୋଷ୍ଟ୍ ଉପରେ ପ୍ରତ୍ୟୁଷରୁ ଗୁଳିଗୋଳା ବର୍ଷଣ କରିଥିଲେ । ଫଳତଃ, ଜଣେ ବାଳକ ଏବଂ ଜଣେ ବାଳିକା ନିହତ ହେବା ସହ ଅନ୍ୟ ୫ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ସକାଳ ୬ଟା ୫୦ ମିନିଟରେ ତୁମୁଳ ସୀମାପାରି ଗୁଳିଗୋଳା ବିନିମୟ ଚାଲିବାରୁ ସୀମାନ୍ତବର୍ତ୍ତୀ ବାସିନ୍ଦା ଛାନିଆ ହୋଇଯାଇଥିଲେ । ଆହତ ସାଧାରଣ ନାଗରିକମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ।

ଇତିମଧ୍ୟରେ କେରାନ୍ ସେକ୍ଟରରେ ନିରାପତ୍ତାବଳ ଏକ ଅନୁପ୍ରବେଶ ଉଦ୍ୟମ ବିଫଳ କରିଛନ୍ତି । ସେମାନେ ଜଣେ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିବା ସହ ତଲାସୀ ଅଭିଯାନ ଚାଲୁ ରଖିଛନ୍ତି । ପାକିସ୍ତାନ ଗୋଟାଏ ଭୀରୁ ଦେଶ, ଗୋଟିଏ ପଟେ ସେମାନେ ଧଳା ପତାକା ଦେଖାଉଛନ୍ତି ଏବଂ ଅନ୍ୟ ପଟେ ସାଧାରଣ ନାଗରିକଙ୍କୁ ଆକ୍ରମଣ କରୁଛନ୍ତି ବୋଲି ଜମ୍ମୁ ଏବଂ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏନ୍. ସିଂହ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି।