୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ : ଜଳେଶ୍ୱର ଥାନା ଶାସନବାଡ ଗାଁରେ ପୋଲିସର ଚଢାଉ

52

ବ୍ରାଉନ୍‌ସୁଗାରର ପେଣ୍ଠ ପାଲଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳ । ବାଲେଶ୍ବର ଜିଲ୍ଲାର ଶାସନବାଡ଼ ଅଞ୍ଚଳରୁ ୪୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଥିବା ଜଣାଯାଇଛି । ଏହି ମାମଲାରେ ପୁଲିସ୍‌ ଜଣକୁ ଅଟକ ରଖିଥିବାର ସୂଚନା ମିଳିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ଵର ପୁଲିସର ଏକ ୨୦ ଜଣିଆ ଟିମ୍ ଗତକାଲି ବିଳମ୍ବିତ ରାତିରେ ଶାସନବାଡ଼ ଗ୍ରାମରେ ଚଢ଼ାଉ କରି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଶାସନବାଡ଼ ଗ୍ରାମର ସେକ ସୈଫ ଅଲ୍ଲୀଙ୍କ ଘରେ ବିପୁଳ ପରିମାଣରେ ବ୍ରାଉନସୁଗାର ଥିବାର ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଜଳେଶ୍ଵର ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ପ୍ରଜ୍ଞା ପାରମିତା ମହାନ୍ତିଙ୍କ ନେତୃତ୍ବରେ ଏକ ୨୦ ଜଣିଆ ଟିମ୍ ସେକ ସୈଫ ଅଲ୍ଲୀଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଘରର ଏକାଧିକ ସ୍ଥାନରୁ ମୋଟ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ସେକ ସୈଫ ଅଲ୍ଲୀଙ୍କୁ ଅଟକ ରଖାଯାଇଥିବା ବେଳେ ପୁଲିସ ଅଧିକ ତଥ୍ୟ ଜାଣିବା ପାଇଁ ଜେରା କରୁଛି ।

ସୂଚନାଯୋଗ୍ୟ, ୨୦୨୧ ମସିହା ଜାନୁଆରି ମାସରୁ ବାଲେଶ୍ଵର ଜିଲ୍ଲାରେ ୪୮ଟି ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଛି । ଏହି ସବୁ ମାମଲାରେ ୮୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୭.୦୩୪ କେଜି ବ୍ରାଉନ୍‌ସୁଗାର, ୧୫ଟି ଗାଡ଼ି ଓ ନଗଦ ୩ ଲକ୍ଷ ୪୫୮୯୦ ଟଙ୍କା ଜବତ ହୋଇଛି । ରୁଜୁ ହୋଇଥିବା ମାମଲା ମଧ୍ୟରୁ କେବଳ ଜଳେଶ୍ଵର ଅଞ୍ଚଳର ୨୧ଟି ମାମଲା ରହିଛି । ଏହି ୨୧ ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫.୦୨୬ କେଜି ବ୍ରାଉନ୍‌ସୁଗାର, ୮ଟି ଗାଡ଼ି ଓ ୮୬ ହଜାର ୧୪୫ ଟଙ୍କା ଜବତ କରାଯାଇଥିବା ଜଣାଯାଇଛି ।