ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ୭୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ନେଇ ଟ୍ୱିଟ ଯୋଗେ ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ; ପୂର୍ବରୁ ତାଙ୍କର ବ୍ଲଡ୍ ପ୍ରେସର ରୋଗ ମଧ୍ୟ ଥିଲା

2,385

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ୭୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ନେଇ ଟୁଇଟ ଯୋଗେ ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ୪ ଏପ୍ରିଲରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ପୂର୍ବରୁ ତାଙ୍କର ବ୍ଲଡ ପ୍ରେସର ରୋଗ ମଧ୍ୟ ଥିଲା । ତେବେ ଏପ୍ରିଲ ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ମୃତକଙ୍କଠାରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲା । ତେବେ ତାଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ଅନୁସନ୍ଧାନ ଚାଲିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ଚଳିତ ମାସ ତଥା ଏପ୍ରିଲ ୪ ତାରିଖରେ ଭୁବନେଶ୍ୱର ଝାରପଡା ଅଂଚଳର ଏହି ୭୨ ବର୍ଷୀୟ ବ୍ୟକ୍ତି ଜଣକ ଅସୁସ୍ଥତା କାରଣରୁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା ସହ ସେ ଜଣେ ବ୍ଲଡ ପ୍ରେସର ରୋଗୀ ମଧ୍ୟ ଥିଲେ । ତେବେ ଚିକିତ୍ସା ଚାଲି ଥିବା ସମୟରେ ତାଙ୍କର ଗତକାଲି ତଥା ଏପ୍ରିଲ ୬ ତାରିଖରେ ମୃତ୍ୟୁ ଘଟିଥିବା ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଚିକିତ୍ସାଧୀନ ଥିବା ବେଳେ ତାଙ୍କ ନମୁନା କୋଭିଡ-୧୯ ପରୀକ୍ଷଣ ପାଇଁ ପଠାଯାଇଥିଲା । ଯେଉଁଥିରେ ତାଙ୍କର ପଜିଟିଭ ବାହାରିଥିବା ଜଣାପଡିଛି । ତେବେ ମୃତକଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେନେଇ ବର୍ତ୍ତମାନ ଅନୁସନ୍ଧାନ ଜାରି ରହିଛି ।

ଏପେଟେ ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଭୁବନେଶ୍ୱରରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟସ ୪୫ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର, ୟୁନିଟ୍ – ୪ ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ କୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂପର୍କରେ ଆଉ କେତେ ଜଣ ଆସିଛନ୍ତି, ଏବେ ତା ଉପରେ ନଜର ରହିଛି ।