ଟିଣ ଛପର ଘରେ ଗୁମୁରି କାନ୍ଦୁଛି ପ୍ରତିଭା : ନା ଖେଳ ଦେଲା ଭବିଷ୍ୟତ, ନା ପାଠ ଦେଖାଇଲା ବାଟ . . . . ସ୍ୱର୍ଣ୍ଣ ପଦକ ଜିଣି ରାଜ୍ୟ ପାଇଁ ସୁନାମ ଅର୍ଜିଥିବା ଖେଳାଳି ଆଜି ମୂଲ ଲାଗିବାକୁ ବାଧ୍ୟ

202

କନକ ବ୍ୟୁରୋ : ମାଳ ମାଳ ପୁରସ୍କାର ଏବେ ଘର କୋଣରେ । ଅଲୋଡ଼ା ପଡ଼ିଛି ସ୍ୱର୍ଣ୍ଣ ପଦକ । ପ୍ରତିଭାକୁ ଉଚିତ୍ ସମ୍ମାନ ନାହିଁ । ଜାତୀୟ ସ୍ତରର କବାଡ଼ି ଖେଳାଳି ଆଜି ଦିନ ମଜୁରିଆ । ଖ୍ୟାତି ମିଳିଲା ହେଲା ଖାଇବାକୁ ମିଳିଲାନି । ନିୟତିର ଖେଳ ବଡ଼ ବିଚିତ୍ର । ପେଟ ବିକଳରେ ଲୁଚିଯାଇଛି ପ୍ରତିଭା । ଦିନ ଥିଲା ରାଜ୍ୟ ଓ ରାଜ୍ୟ ବାହାରେ କବାଡ଼ି ଖେଳି ବେଶ ପ୍ରଶଂସା ସାଉଁଟିଥିଲେ । ସୁନ୍ଦର ଭବିଷ୍ୟତର ସ୍ୱପ୍ନ ନେଇ ଖେଳକୁ ଜୀବନ କରିଥିବା ମଣିଷଟି କିନ୍ତୁ ଆଜି ପେଟ ଚାଖଣ୍ଡକ ପାଇଁ ପରଦୁଆରେ ଗୋଡ଼ଭାଙ୍ଗି ଛିଡ଼ାହେଉଛି । ଆମେ କହୁଛୁ କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକ ଦିସାରିଗୁଡ଼ାର ଉମାକାନ୍ତ ଖରାଙ୍କ କଥା ।

ଟିଣ ଛପର ଘରେ ଗୁମୁରି କାନ୍ଦୁଛି ପ୍ରତିଭା । ବଣମଲ୍ଲୀ ବଣରେ ଝଡ଼ିଯିବାକୁ ବସିଛି । ଆଖିରୁ ଲୁହ ଝରାଇବାକୁ ସମୟ ନାହିଁ, ବଞ୍ଚିବାକୁ ହେଲେ କାମ ତ କରିବାକୁ ପଡ଼ିବ । ଦିନେ ରାଜ୍ୟ ଓ ଦେଶ ପାଇଁ ସୁନାମ ଅର୍ଜନ କରିଥିଲେ ପ୍ରତିଭାବାନ୍ କବାଡ଼ି ଖେଳାଳି ଉମାକାନ୍ତ । ସ୍କୁଲ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରେ ଦିଲ୍ଳୀ, କର୍ଣ୍ଣାଟକ, ବିହାର, ପଞ୍ଜାବ ଭଳି ରାଜ୍ୟ ସହ ଖେଳି ସ୍ୱର୍ଣ୍ଣ ପଦକ ମଧ୍ୟ ଜିଣିଛନ୍ତି । ହେଲେ ଭାଗ୍ୟର ବିଡମ୍ବନା ଦେଖନ୍ତୁ ଆଜି ସେ ମଜୁରୀ କରୁଛନ୍ତି । ସ୍କ୍ରିନରେ ଆପଣ ଦେଖୁଥିବା ଯୁବକ ଜଣକ ପେଟ ପାଇଁ ଗାଇ ଚରାଇବା ଠାରୁ ଆରମ୍ଭ କରି କେତେବେଳେ ଜମିରେ କାମ କରୁଛନ୍ତି ତ ଆଉ କେତେବେଳେ ମାଆ ସହ ପର ଘରେ ମୂଲ ଲାଗୁଛନ୍ତି । ଏତିକିରେ ପେଟ ଅପୋଷା ରହିବାକୁ ଖେଳ ପାଇଁ କଠିନ ପରିଶ୍ରମ କରି ସୁନ୍ଦର ସ୍ୱାସ୍ଥ୍ୟ ତିଆରି କରିଥିବା ଉମାକାନ୍ତ ବାକି ସମୟ ଜୟପୁର ଡ଼ାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଛନ୍ତି ।

ପିଲାବେଳୁ ଉମାକାନ୍ତଙ୍କର ଖେଳ ପ୍ରତି ଥିଲା ଥିଲା ଢ଼େର ଆଗ୍ରହ । ଆଉ ଉମାକାନ୍ତଙ୍କ ପ୍ରତିଭା ଦେଖି ଶିକ୍ଷକମାନେ ଘରୁ ଡାକିନେଇ ତାଙ୍କୁ କବାଡ଼ି ଖେଳିବା ପାଇଁ ଉତ୍ସାହିତ କରୁଥିଲେ । ଖେଳ ପ୍ରତି ଅହେତୁକ ଆଗ୍ରହ ହେତୁ ପାଠପଢ଼଼ା ଉପରେ ଧ୍ୟାନ ଦେଇପାରିନଥିଲେ ଉମାକାନ୍ତ । ସ୍କୁଲ ସରିଗଲା ପରେ ଆଗକୁ ଆଉ ପଡ଼ିବାକୁ ପରିବାରର ସହଯୋଗ ମିଳିଲା ନାହିଁ ଅଧା ବାଟରେ ରହିଗଲା ପାଠ ପଡ଼ା । ହେଲେ ଯେଉଁ ଖେଳକୁ ସେ ଆଦରି ଭବିଷ୍ୟତର ସୁନେଲୀ ସ୍ୱପ୍ନ ବୁଣିଥିଲେ ସେହି ଖେଳ ମଧ୍ୟ ଦେଇପାରିଲାନି ପରିଚୟ ।

ପିଲାଟି ଦିନରୁ ଟିଭି ଓ ଖବରକାଗଜରେ ଫଟୋ ଦେଖି ଖେଳ ପ୍ରତି ଆକର୍ଷିତ ହୋଇଥିବା ଉମାକାନ୍ତଙ୍କ ପାଇଁ ଆଜି ଦାନା ମୁଠାଏ ଯୋଗାଡ଼ କରିବା ଭାରି କଷ୍ଟକର ହୋଇପଡ଼ୁଛି । ରାଜ୍ୟ ସରକାର କିଛି ସହାୟତା ଦେବା ଦୂରର କଥା ଉମାକାନ୍ତଙ୍କ ଅକୁହା କଥା ଶୁଣିବାକୁ କେହି ନାହାନ୍ତି । ଉମାକାନ୍ତ ଅସହ୍ୟ ମାନସିକ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି । ଉମାକାନ୍ତଙ୍କ ଥଇଥାନ୍ ଓ ସହାୟତା ଦେବା ଦିଗରେ ରାଜ୍ୟ ସରକାର କିଛି ପଦକ୍ଷେପ ନେଲେ ତାଙ୍କ ମନୋବଳ ଦୃଢ଼ ହୋଇପାରନ୍ତା ।