୧୩୧ ବଲ୍ ପକାଇ ଦେଇନଥିଲେ କିଛି ବି ରନ୍ । ଜାଣନ୍ତୁ, କିଏ ଥିଲେ ଭାରତର ଏହି ‘କଞ୍ଜୁସ’ ବୋଲର ?

287

କନକ ବ୍ୟୁରୋ: ବର୍ତ୍ତମାନ ଟି-୨୦ କ୍ରିକେଟରେ ଆପଣ ଗୋଟିଏ ଓଭରରେ ୬ଟି ଛକା ମାରୁଥିବା ବ୍ୟାଟ୍ସମ୍ୟାନଙ୍କୁ ଦେଖୁଥିବେ । ହେଲେ ଆଜି ଆମେ ଏମିତି ଜଣେ ଭାରତୀୟ ବୋଲରଙ୍କ କଥା କହିବୁ, ଯେ ନିଜର ବୋଲିଂ ବଳରେ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିପାରୁଥିଲେ । ଖାଲି ସେତିକି ନୁହେଁ ସେ ଏମିତି କଞ୍ଜୁସ୍ ବୋଲିଂ କରୁଥିଲେ ଯେ, ବ୍ୟାଟ୍ସମ୍ୟାନମାନେ କେବଳ ୧ ରନ୍ କରିବା ହିଁ କଷ୍ଟକର ହେଇଯାଉଥିଲା । ତେବେ ଏହି ଭାରତୀୟ ବୋଲରଙ୍କ ନାଁ ହେଉଛି ବାପୁ ନାଦକର୍ଣ୍ଣୀ । ଯିଏକି ଏକଦା ଲଗାତାର ୧୩୧ ବଲ ପକାଇ କିଛି ବି ରନ୍ ଦେଇନଥିଲେ । ଯାହାକି ଆଜି ବି ଏକ ବିରଳ ରେକର୍ଡ ହୋଇରହିଛି । ୧୨ ଜାନୁଆରୀ ୧୯୬୪ ମସିହା ଅର୍ଥାତ ଆଜିର ଦିନରେ ସେ ଏହି ବିରଳ ରେକର୍ଡ ହାସଲ କରିଥିଲେ । ଯାହାକୁ ଆଜି ୫୮ ବର୍ଷ ପୂରଣ ହୋଇଛି ।

୧୯୬୪ ମସିହାରେ ତତକାଳୀନ ମାଡ୍ରାସ କର୍ପୋରେସନ୍ ଷ୍ଟାଡିୟମରେ ଇଂରେଜମାନଙ୍କ ବିରୋଧରେ ଏକ ମ୍ୟାଚ୍ ଖେଳାଯାଉଥିଲା । ଏହି ମ୍ୟାଚରେ ସମସ୍ତେ ବାପୁ ନାଦକର୍ଣ୍ଣୀଙ୍କ ଜଲୱା ଦେଖିବାକୁ ପାଇଥିଲେ । ସେ ଲଗାତାର ୧୩୧ଟି ବଲ୍ ପକାଇ ଇଂରେଜ ବ୍ୟାଟ୍ସମ୍ୟାନଙ୍କୁ ଏକ ରନ୍ ବି କରିବାକୁ ଦେଇନଥିଲେ । ସେ ଏହି ମ୍ୟାଚରେ ମୋଟ ୩୨ ଓଭର ବୋଲିଂ କରିଥିବାବେଳେ ସେଥିରୁ ୨୧ ଓଭର ମେଡେନ୍ ନେଇଥିଲେ । ଖାଲି ସେତିକି ନୁହେଁ ୩୨ ଓଭର ବୋଲିଂ କରି ସେ କେବଳ ୫ ରନ୍ ଦେଇଥିଲେ ।

ବାପୁ ନାଦକର୍ଣ୍ଣୀ ଏମିତି ଜଣେ ବୋଲର ଥିଲେ, ଯିଏକି ନେଟସର ୱିକେଟ୍ ଉପରେ କଏନ୍ ରଖି ବୋଲିଂ କରୁଥିଲେ । ସେ ଜଣେ ବାମହାତୀ ସ୍ପିନ୍ ବୋଲର ଥିବାବେଳେ, ତାଙ୍କ ବୋଲିଂ ଏମିତି ଥିଲା ଯେ, ତାଙ୍କୁ ବ୍ୟାଟ୍ସମ୍ୟାନ ମାନେ ଏକପ୍ରକାରର ଭୟ କରୁଥିଲେ । ତାଙ୍କ କ୍ୟାରିୟରରେ ଇକୋନୋମି ମାତ୍ର ୧.୬୭ ପ୍ରତିଶତ ଥିବାବେଳେ ସେ ଭାରତ ପାଇଁ ୪୧ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ୪୧ଟି ଟେଷ୍ଟରୁ ସେ ମୋଟ ୯୧୬୫ ବଲ ପକାଇବା ସହିତ ୨୫୫୯ ରନ୍ ଏବଂ ୮୮ଟି ସଫଳତା ପାଇଥିଲେ ।

ବୋଲିଂ ସହିତ ବାପୁ ନାଦକର୍ଣ୍ଣୀ ବ୍ୟାଟିଂ ଓ ଫିଲଡିଂରେ ମଧ୍ୟ ଧୂରନ୍ଧର ଥିଲେ । ୧୯୬୩-୬୪ରେ ଇଂଲଣ୍ଡ ବିପକ୍ଷ ସିରିଜରେ ସେ କାନପୁରରେ ୧୨୨ ରନର ଅପରାଜିତ ଇଂନିସ ଖେଳି ଭାରତକୁ ପରାଜୟ ମୁହଁରୁ ବଞ୍ଚାଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଅନେକ ବିରଳ ରେକର୍ଡ ମଧ୍ୟ ହାସଲ କରିଥିଲେ । ତେବେ ୨୦୨୦ ମସିହାରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ହେଲେ ଆଜି ବି ତାଙ୍କର ଏହି ରେକର୍ଡକୁ କେହି ଭାଙ୍ଗି ପାରିନାହାଁନ୍ତି ।